ରାଜ୍ୟରେ ଏବେ ବାବୁଙ୍କୁ ନେଇ ଚର୍ଚ୍ଚା ଜୋର । କାରଣ ପ୍ରଶାସନିକ ଚାକିରି କରିଥିବା ପରେ ବି ସରକାରୀ ଦଳର ଗୁମାସ୍ତାଙ୍କ ପରି କାମ କରୁଛନ୍ତି । ଖାଲି କାମ କରୁଛନ୍ତି ତାହା ନୁହେଁ ବରଂ ନିର୍ବାଚନ ବେଳେ ବି ଭୋଟ୍ ବଢାଇବାକୁ ପ୍ଲାନ୍ କରୁଛନ୍ତି । ସେଇଥି ଲାଗି ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ କରିଛି ବିଜେପି । ଏ ଅଭିଯୋଗ ଏବେର ନୁହେଁ ବରଂ ବହୁପୂର୍ବର...ପୂର୍ବରୁ ବି ସମାନ ଅଭିଯୋଗ ହୋଇଥିଲା । ତେଣୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାଞ୍ଚଳ ଆଇଜି ପଦରୁ ବଦଳି କରାଯାଇ ଆଶିଷ ସିଂହଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ନିୟୋଜିତ କରାଯାଇଥିଲା । ଏହାପରେ ବି ବାବୁ ଦଳୀୟ ପଦର ଅପବ୍ୟବହାର କରୁଥିବା ନେଇ ଅଭିଯୋଗ ହୋଇଛି ।
ଆଶିଷଙ୍କୁ ନେଇ ଥମୁନି ବିବାଦ । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ଵରେ ତାଙ୍କୁ ନିଯୁକ୍ତି କରାଯାଇଛି । ହେଲେ ଏହି ଡ୍ୟୁଟି କରିବା ପରିବର୍ତ୍ତେ ଆଶିଷ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା କାର୍ଯ୍ୟାଳୟର ଷଷ୍ଠ ମହଲାରେ ବେଆଇନ ଭାବେ ବସୁଥିବା ନେଇ ଅଭିଯୋଗ ହୋଇଛି । ସେଠାରୁ ସେ ଜୁନିଅର ପୋଲିସ ଅଧିକାରୀମାନଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି । ଯାହାକି ପୋଲିସ ଅଫିସର ସର୍ଭିସ ରୁଲ ଓ କଣ୍ଡକ୍ଟ ରୁଲ ୨୦୨୩ ର ଉଲ୍ଲଂଘନ ବୋଲି ଅଭିଯୋଗ କରିଛି ବିଜେପି ।
ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ରାଞ୍ଚଳ ଆଇଜି ଥିବାବେଳେ ଆଶିଷ ସିଂହ ଭି.କେ ପାଣ୍ଡିଆନଙ୍କ ପରି ବିଜେଡି ବିଚାରଧାରା ପ୍ରତି ତାଙ୍କର ଖୋଲା ସମର୍ଥନ ପ୍ରକାଶ କରୁଥିବା ବିଜେପି ଅଭିଯୋଗ ଆଣିଛି । ତେବେ ଗଣ୍ଡା ଅଫିସରଙ୍କ ନାଁରେ ଆକ୍ସନ ନେଇଛନ୍ତି ନିର୍ବାଚନ କମିଶନ, ଏବେ ପୁଣି ଥରେ ବାବୁଙ୍କ ନାଁରେ ଅଭିଯୋଗ ଆସିଥିବାରୁ ଆକ୍ସନକୁ ନେଇ ଅପେକ୍ଷା ।