
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସିନାପାଲିକୁ ଏନଏସି ମାନ୍ୟତା ଦାବି କରି ଆଜି 12 ଘଣ୍ଟିଆ ବନ୍ଦ କରିଛି ସିନାପାଲି ନାଗରିକ କମିଟି । ସକାଳ 6 ଟାରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ସିନାପାଲି ସହରର ସମସ୍ତ ଦୋକାନ ବଜାର , ଗାଡି ଚଳାଚଳ ବନ୍ଧ କରାଯାଇଛି । ଯାହା ଫଳରେ ଖଡ଼ିଆଳରୁ ସିନାପାଲି ଓ ସିନାପାଲି ରୁ ଧର୍ମଗଡ଼ ଯୋଗାଯୋଗ ସମ୍ପୂର୍ଣ୍ଣ ଠପ୍ ହୋଇପଡିଛି ।
ସିନାପାଲି ନାଗରିକ କମିଟିର ଆହ୍ବାନ କ୍ରମେ ସିନାପାଲି ସହରର ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ , ବିଭିନ୍ନ ରାଜନୈତିକ ଦଳ ,ସମସ୍ତ ଯୁବକ ସଂଘ, ସାମାଜିକ କର୍ମୀମାନେ ଯୋଗଦେଇଥିଲେ ଏହି ବନ୍ଦ୍ରେ । ସିନାପାଲି ପଞ୍ଚାୟତ ଅନ୍ତର୍ଗତ ସିନାପାଲି, କାପଶି, ଯୁଗେନ ପଦର,ଗାଁ ମାନଙ୍କୁ ମିଶାଇ ଏନଏସି କରିବା ପାଇଁ ବିଭିନ୍ନ ସମୟରେ ଦାବି ହୋଇ ଆସୁଛି । ଏଠାରେ 11 ହଜାରରୁ ଅଧିକ ଲୋକେ ବସବାସ କରନ୍ତି । ଏହା ସହ ଅନ୍ୟ ସମସ୍ତ ଯୋଗ୍ୟତା ଥିଲେ ମଧ୍ୟ ଏନଏସି ମାନ୍ୟତା ପାଉ ନଥିବାରୁ ଅସନ୍ତୋଷ ବୃଦ୍ଧି ପାଇଛି । ଏନେଇ 12 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ।
