ଆଉ ଏ ହେଉଛି ବାଲୁବଜାରର ବିନୋଦ ବିହାରୀ ପିଠ । କଟକରେ ଦଶହରା ପୂଜାର ମୂଳଦୁଆ ପଡିଥିଲା ଏଠାରେ । ନଦିଆ ନବଦ୍ବୀପରୁ ଆସିଥିବା ବାନାର୍ଜୀ ପରିବାର ଏହି ପିଠରେ ୧୫୦୯ ମସିହାରେ ଏକ ଚାଳ ଛପର ଘରେ ଶ୍ରୀ ଚୈତନ୍ୟ ଆସି ଘଟପୂଜା ପରେ ୧୫୧୪ ମସିହାରେ ମୃଣ୍ମୟୀ ମୃର୍ତ୍ତୀରେ ମା ଦୁର୍ଗାଙ୍କ ପୂଜା ଆରମ୍ଭ କରିଥିଲେ । ଦୀର୍ଘ ୫୦୫ ବର୍ଷ ଧରି ପୂଜା ଆୟୋଜନ ହୋଇ ଆସୁଥିବା ଏହି ପୂଜା ମଣ୍ଡପ ଅନେକ ବିପତ୍ତିର ସାମ୍ନା କରିଛି । ପୂଜା ମଣ୍ଡପର ତଥ୍ୟ ଅନୁସାରେ ୧୮୧୭-୧୮ ମସିହାରେ ବିରାଟ ବଡ ଫ୍ଲ୍ୟୁ ରୋଗ ପରେ ୧୮୬୫-୬୬ ବେଳକୁ ନଅ ଅଙ୍କ ଦୁର୍ଭିକ୍ଷର ସାମ୍ମନା କରିଥିଲା ।
ତା ପରେ ବି ପୂଜାବିଧି କି ରୀତିନୀତିରେ ହୋଇ ନାହିଁ କିଛି ପରିବର୍ତ୍ତନ । ସବୁଠାରୁ ବଡ଼ କଥା ହେଉଛି ଏହି ମଣ୍ଡପରେ ମାଙ୍କ ମୂର୍ତ୍ତିକୁ କୌଣସି କୁମ୍ଭାର ଗଢି ନଥାନ୍ତି । ସେହି ମଣ୍ଡପର ପୂଜକ ହିଁ ମୂର୍ତ୍ତି ଗଢିଥାନ୍ତି । ଏବଂ ମୂର୍ତ୍ତିରେ କୌଣସି ରାସାୟନିକ ରଙ୍ଗ ବ୍ୟବହାର କରାଯାଏନି । ହଳିଦୀ ଚାଉଳ ଚୁନା ଏବଂ ପତ୍ର ଗୁଣ୍ଡ ରଙ୍ଗ ବ୍ୟବହାର କରି ମାଙ୍କ ମୂର୍ତ୍ତି ପ୍ରସ୍ତୁତ କରାଯାଏ । ପୂଜା ରିତି ନୀତି ଅନୁସାରେ ଷଷ୍ଠୀରେ ବେଲ୍ଵ ବରଣୀ ସପ୍ତମୀରେ ନବପତ୍ରିକା ପୂଜା ସହ ଚକ୍ଷୁ ଦାନ କରାଯାଇ ପୂଜା ଆରମ୍ଭ ହୋଇଥାଏ । ଅଷ୍ଟମୀରେ ହଜାର ହଜାର ସଂଖ୍ୟାରେ ସଧବା ମହିଳାମାନେ ଆସି ବ୍ରତ ପୂଜା କରିଥାନ୍ତି । ବିଜୟା ଦଶମୀରେ ମା’ ଙ୍କ ପାଖରେ ଦହି ପଖାଳ ଭୋଗ କରାଯାଇ ଭକ୍ତଙ୍କୁ ବଣ୍ଟା ଯାଇଥାଏ ।
ସେହିପରି କଟକର ଆଉ ଗୋଟିଏ ସର୍ବ ପୁରାତନ ପୂଜା ମଣ୍ଡପ ହେଉଛି କଟକ ବକ୍ସିବଜାର ସର୍ପ ଦୁର୍ଗା ମଣ୍ଡପ । ଏହାର ଇତିହାସ ବି ପୁରୁଣା । 1752 ମସିହାରେ ମୁର୍ସିଦାବାଦର ତତ୍କାଳୀନ ରାଜା ତଥା ଜମିଦାର ସ୍ବରୁପ ଚନ୍ଦ୍ର ଦାସ କଟକ ଆସି ଏଠାରେ ପୂଜା ଆରମ୍ଭ କରିଥିଲେ । ଆଜିକୁ 2 ଶହ 75 ବର୍ଷ ହବ ମା’ ଏଠାରେ ପୂଜା ପାଇ ଆସୁଛନ୍ତି । ଏହି ସର୍ପଦୁର୍ଗା ପୂଜା ମଣ୍ଡପରେ ପ୍ରଥମେ ଏକ ଘରେ ଘଟ ସ୍ଥାପନ କରି ଘରୋଇ ପୂଜା ରୂପରେ ପୂଜା କରାଯାଉଥିଲା । ଏଠାରେ ସବୁଠାରୁ ବଡ ଖାସ କଥା ହେଉଛି ଏଠାରେ ପୁରୁଷ ପୁରୁଷ ଧରି ମୃର୍ତ୍ତି କାରିଗର, ପୂଜକ ଓ ପୂଜା ପରିଚାଳନା ନିଜ ନିଜ ବଂଶଧର ମାନେ କରି ଆସୁଛନ୍ତି ।
ପରବର୍ତ୍ତୀ ସମୟରେ ଅର୍ଥାତ ୧୯୫୦ ମସିହା ବେଳକୁ ୭ ସାହି ଏକାଠି ହୋଇ ମା’ ଙ୍କ ସାର୍ବଜନୀନ ଦୁର୍ଗା ପୂଜା ଆରମ୍ଭ କରିଥିଲେ । ତେବେ ଏଠାରେ ବେଙ୍ଗଲି ପାଞ୍ଜି ଓ ପରମ୍ପରା ଅନୁଯାୟୀ ପୂଜା ଅର୍ଚ୍ଚନା କରାଯାଇଥାଏ । ଦଶମୀ ଦିନ ମା’ ଙ୍କ ପୂଜା ଅର୍ଚ୍ଚନା କରାଯାଇ ସେହି ଦିନ ହିଁ ଅର୍ଥାତ ଦଶମୀ ଦିନରେ ହିଁ ମା’ ଦୁର୍ଗାଙ୍କୁ ଭସାଣୀ କରାଯାଇଥାଏ ବୋଲି କହିଛନ୍ତି କର୍ମକର୍ତ୍ତା । ଏଠାରେ ମା’ ଙ୍କୁ ଝିଅ ରୂପରେ ପୂଜା କରାଯାଉଛି । ଦଶମୀ ତିଥିରେ ସିନ୍ଧୁର ଖେଳ ପରେ ମା’ ଦୁର୍ଗାଙ୍କୁ ଝିଅ ରୂପରେ ବିଦାୟ ଦେଇଥାନ୍ତି ।
ପୁରୁଣା ଏହି ସହର, ପୁରୁଣା ଏହାର ପରମ୍ପରା । ବର୍ଷ ବର୍ଷ ଧରି ଏଠାରେ ପାଳନ ହୋଇଆସୁଛି, ଦଶହରା । ଯାହାକି ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ।