ସୂଚନା ମୁତାବକ ଜାମୁକୋଳି ଗାଁରେ ଗୁରୁବାର ରାତିରେ ଘଟିଥିବା ଗଣ୍ଡଗୋଳ ଘଟଣାରେ ଶୁକ୍ରବାର ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା। ଆହତ ହୋଇଥିବା ବ୍ୟକ୍ତି ପ୍ରଥମେ ଥାନାରେ ଏତଲା(75/2023) ଦେଇଥିଲେ। କିଛି ଘଣ୍ଟା ପରେ ଅପର ପକ୍ଷରୁ ଜଣେ ମହିଳା ପାଲଟା ଅଭିଯୋଗ ନେଇ ଥାନାରେ ପହଞ୍ଚି ଥିଲେ ଏବଂ ତୁରନ୍ତ କେଶ ରୁଜୁ କରାଯାଉ ବୋଲି ଜିଦ ଧରିଥିଲେ। ମାମଲାର ସଠିକ ତଦନ୍ତ କରିବା ପରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଥାନାଧିକାରୀ କହିଥିଲେ।
ଥାନାରୁ ଆସିବା ପରେ ମହିଳା ଜଣଙ୍କ ଜାମୁକୋଳି ପଞ୍ଚାୟତ ସରପଞ୍ଚ ପ୍ରତିନିଧି ମାନସ ରାଉଳ ଏବଂ ପଞ୍ଚୁପଲ୍ଲୀ ପଞ୍ଚାୟତର ସରପଞ୍ଚ ପ୍ରତିନିଧି ଦୀପକ ଜେନାଙ୍କୁ ସାଥିରେ ନେଇ ପୁନର୍ବାର ଥାନାରେ ପହଞ୍ଚିଥିଲେ। ଯାହାକୁ ନେଇ ସେଠାରେ ଥାନାଧିକାରୀ ଏବଂ ଦୁଇଜଣ ସରପଞ୍ଚ ପ୍ରତିନିଧିଙ୍କ ମଧ୍ୟରେ ବଚସା ହୋଇଥିଲା । ଦ୍ୱିତୀୟ ପକ୍ଷ ମହିଳା ଦେଇଥିବା ଅଭିଯୋଗକୁ ଆଧାର କରି ଶନିବାର ଦିନ କେଶ ନମ୍ବର 76/2023 ରେ ମାମଲା ରୁଜୁ ହୋଇଛି। ତେବେ ସମ୍ପୃକ୍ତ ମହିଳା ଏବଂ ସରପଞ୍ଚ ପ୍ରତିନିଧିମାନେ ଆଇଆଇସିଙ୍କ ବିରୋଧରେ ଭୁବନେଶ୍ୱର ଡିସିପିଙ୍କୁ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁସାରେ, ଏୟାରଫିଲଡ ଥାନାଧିକାରୀ ସ୍ଥାନୀୟ ଜାମୁକୋଳି ପଞ୍ଚାୟତ, ପଧାନସାହି ପଞ୍ଚାୟତ ଏବଂ ଅନ୍ୟ ଗାଁଗୁଡିକୁ ସାମୁହିକ ଭାବେ ଆଶ୍ରାବ୍ୟ ଭାଷାରେ ଗାଳିଗୁଲଜ ସହ ଦୁର୍ବ୍ୟବହାର କରୁଛନ୍ତି। ସୋମବାର ସକାଳୁ ଜଟଣୀ ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେଡି କର୍ମୀ ଏୟାରଫିଲଡ ଥାନା ସମ୍ମୁଖରେ ଆଇଆଇସିଙ୍କ ଦୁର୍ବ୍ୟବହାର ବିରୋଧରେ ଧାରଣା ଦେଇଥିଲେ। ଆଇଆଇସି ଅଶୋକ କୁମାର ନାୟକଙ୍କ ବଦଳି ଦାବିରେ ନାରାବାଜି କରିଥିଲେ। ଘଟଣା ସ୍ଥଳରେ ଅତିରିକ୍ତ ଡିସିପି ପ୍ରକାଶ ଚନ୍ଦ୍ର ପାଲ , ଜୋନ -୨ ଏସିପି ଅନିରୁଦ୍ଧ ରାଉତରାୟ ଏବଂ ଅନ୍ୟ ପୋଲିସ ଅଧିକାରୀ ମାନେ ପହଞ୍ଚି ଧାରଣାରେ ବସିଥିବା ଲୋକ ମାନଙ୍କୁ ବୁଝାସୁଝା କରିବା ପରେ ସମସ୍ତେ ଧାରଣାରୁ ଉଠିଥିଲେ। ଏହି ଘଟଣାରେ ଜଟଣୀ ବ୍ଲକର ବିଭିନ୍ନ ପଞ୍ଚାୟତର ପ୍ରତିନିଧିମାନେ ଏୟାରଫିଲଡ ଥାନାଧିକାରୀଙ୍କ ବିରୋଧରେ ଲିଖିତ ଅଭିଯୋଗ ଦେଇଛନ୍ତି ।