ଏହି ଦୃଶ୍ୟ ହେଉଛି ମୟୂରଭଞ୍ଜ ଜିଲ୍ଲା ମୋରଡାର। ସରକାରଙ୍କ ଯୋଜନାକୁ ଚାହିଁ ଚାହିଁ ଆଖିରୁ ପାଣି ଶୁଖିଲା। କେତେବେଳେ ସରକାର କିମ୍ବା ପ୍ରଶାସନ ଟିକେ ଆଡ଼ ଆଖିରେ ଚାହିଁଦେବେ ସେହି ଦିନକୁ ଅପେକ୍ଷା କରୁଥିଲେ କ୍ଷୀରୋଦ ଦେହୁରୀ। କିନ୍ତୁ ସରକାର ପ୍ରଶାସନିକ ଅଧିକାରୀ କିମ୍ବା ରାଜନେତା କାହାରି ନଜର ପଡିଲାନି ତାଙ୍କ ଉପରେ। ତାଙ୍କର କେହି ସାହା ନାହାନ୍ତି। ଦେଢ଼ ମାସରୁ ଉର୍ଦ୍ଧ୍ବ ହେବ ଏପରି ଅଖିଆ ଅପିଆ ପଡ଼ି ରହିଛନ୍ତି।
ଲଗାଣ ବର୍ଷାରେ ଘର ଭାଙ୍ଗି ଗଲା। ଗରିବ ଅନାଟନ ଭିତରେ ଜୀବନ ବିତୁଥିଲା, ସମ୍ବଳ ନ ଥିଲା ଘର ତିଆରି କରିବା ପାଇଁ। ଗଛ ମୂଳେ ବାର ଦୁଆରେ ଜୀବନ କାଟୁଥିଲେ। ଦେହ ଅସୁସ୍ଥ ହେବାରୁ ଚାଲି ନ ପାରିବାରୁ ଏହି ଦୋକାନ ଘର ବାରଣ୍ଡା ପାଲଟିଛି ଆଶ୍ରୟସ୍ଥଳ। ନା ସରକାରଙ୍କ ପାଖରୁ ପକ୍କା ଘର ନା ଭତ୍ତା ନା ରାଶନ୍ କାର୍ଡ ମିଳିଛି କ୍ଷୀରୋଦଙ୍କୁ। ବିଛଣା ହେଉଛି ମୋରମ ଗୋଡି ଓ କିଛି ଛିଣ୍ଡା ଲୁଗା। ଥଣ୍ଡା କାକରରୁ ବଞ୍ଚାଇବାପାଇଁ ଘୋଡ଼ି ହୁଅନ୍ତି ଏହି ଛିଣ୍ଡା ଲୁଗା। ପୁଅ ବୋହୁ ନିଜର ପେଟ ପାଇଁ ଦାଦନ ଖଟିବାକୁ ଇଟା ଭାଟିକୁ ଚାଲି ଯାଇଛନ୍ତି। ଘର ଦୁଆର ନ ଥିବାରୁ କେବେ ବର୍ଷକୁ ଥରେ ତ କେବେ ଦୁଇ ବର୍ଷକୁ ଥରେ ଆସନ୍ତି। ଏଣେ ଅନାହାରରେ ଚିକିତ୍ସା ଅଭାବରୁ ଉଠି ଚାଲିବାର ସକ୍ଷମ ହୋଇପାରୁ ନାହିଁ। କେବେ କିଏ ଖାଇବା ପାଇଁ ଦେଉଛନ୍ତି ତ କେବେ ଏମିତି ଉପାସ ଶୋଇପଡୁଛି। ଏପରି ଥଣ୍ଡା କାକରରେ କେତେବେଳେ ଜୀବନ ଚାଲିଯିବ କହିହେଉନି। ଯଦି ସରକାର ଥଇଥାନ କରି ଚିକିତ୍ସା କରିଥାନ୍ତେ ହୁଏତ ଖୁସିରେ ତାଙ୍କ ଜୀବନ କଟିପାରନ୍ତା ବୋଲି ଗ୍ରାମବାସୀ କହିଛନ୍ତି।
ଅନାହାରରେ କେହି ରହିବେନି ବୋଲି ସରକାର ବହୁ ଯୋଜନା କରୁଥିବା ବେଳେ ଏ ଚିତ୍ର ବୟାନ କରୁଛି ସରକାରଙ୍କ ଯୋଜନା କେତେ ଲୋକଙ୍କ ପାଖରେ ପହଞ୍ଚି ପାରିଛି? କଣ ସରକାରୀ ଯୋଜନା କାଗଜ କଲମରେ ସିମୀତ ରହିଯିବ? କେବେ ଲୋକଙ୍କ ପାଖରେ ସରକାରଙ୍କ ଯୋଜନା ପହଞ୍ଚି ପାରିବ ତାହା ହେଉଛି ବଡ଼ ପ୍ରଶ୍ନ ?