ଅର୍ଗସ ବ୍ୟୁରୋ: ଅଶାନ୍ତ କାମାକ୍ଷାନଗର। ନିର୍ବାଚନ ପୂର୍ବରୁ ପୁଣି ଗଡିଲା ମୁଣ୍ଡ। ବହୁ ଚର୍ଚ୍ଚିତ ଦୀପକ ମାହୁନ୍ତ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ନିରାକାର ସାହୁଙ୍କୁ ନିର୍ମମ ହତ୍ୟା। ନିରାକାର କିଛି ଦିନ ତଳେ ଜେଲରୁ ଜାମିନରେ ଆସିଥଲେ। ଗତକାଲି କୌଣସି କାମରେ ବାହାରକୁ ଯାଇ ରାତିରେ ଘରକୁ ଫେରିନଥିଲେ। ଆଜି ସକାଳୁ ଆଳତୁମା ରେଲୱେ ଓଭରବ୍ରିଜ୍ ନିକଟ ପୋଖିରୀ ପାଖରୁ ମିଳିଥିଲା ନିରାକାରଙ୍କ ମୃତଦେହ। ପୂର୍ବ ଶତ୍ରୁତାରୁ ନିରାକାରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ନିରାକାରଙ୍କ ସ୍ତ୍ରୀ କାମାକ୍ଷାନଗର ଥାନାରେ 6 ଜଣଙ୍କ ବିରୋଧରେ ଏତଲା ଦେଇଛନ୍ତି। ଅଭିଯୁକ୍ତମାନେ ହେଉଛନ୍ତି ଦୀପକ ମାହୁନ୍ତଙ୍କ ପୁଅ ଦିବ୍ୟଦର୍ଶନ ମାହୁନ୍ତ, ଧରମ ପୁଅ ବିଶ୍ଵଜିତ ବେହେରା ଓରଫ ବିକି, ଓଡ଼ାପଡ଼ା ପତଳା ଗାଁର ଜୁଲୁ, ହିନ୍ଦୋଳ ବ୍ଲକ ପୂର୍ବତନ ବିଜେଡି ଚେୟାରମ୍ୟାନ୍ ପଣ୍ଡି, ଗେଙ୍ଗୁଟିଆ ଗାଁର ବୁଲୁ ଓ ରାଙ୍କିଆ ଗାଁର ଶ୍ରୀଧର ଲେଙ୍କା।
ନିରାକାରଙ୍କୁ ମିଶାଇ କାମାକ୍ଷାନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ଗତ 7 ବର୍ଷ ମଧ୍ୟରେ ଏହା 5ମ ରାଜନୈତିକ ହତ୍ୟା। ଆଉ ସମସ୍ତେ ଶାସକ ଦଳର ନେତା। ହତ୍ୟାର ଶିକାର ନିରାକାରଙ୍କ ବ୍ୟାଗଗ୍ରାଉଣ୍ଡ କହୁଛି ଅନେକ କଥା। ପୂର୍ବତନ ସମିତ ସଭ୍ୟ ଦୀପକ ମାହୁନ୍ତ ହତ୍ୟାର ମୁଖ୍ୟ ଅଭିଯୁକ୍ତ ଥିଲେ ନିରାକାର। ଉଭୟ ଦୀପକ ମାହୁନ୍ତ ଓ ନିରାକାର ପଥର ଖଣି କାରବାରରେ ସଂପୃକ୍ତ ଥିଲେ। ତେଣୁ ଲଘୁ ଖଣିଜ କାରବାରକୁ ନେଇ ଶାସକ ଦଳ ଭିତରେ ଗ୍ୟାଙ୍ଗୱାରର ପରିଣାମ ଏହି ଦୁଇ ହତ୍ୟା ବୋଲି ଅଭିଯୋଗ ହୋଇଛି। ଏହାଛଡ଼ା ଦୀପକଙ୍କର କାମାକ୍ଷାନଗର ବିଜେଡିରେ ପତିଆରା ଲାଗତାର ବୃଦ୍ଧି ପାଉଥିଲା। ଏପରିକି ସେ ବିଧାୟକ ପ୍ରାର୍ଥୀ ପାଇଁ ଦାବେଦାର ବୋଲି ଚର୍ଚ୍ଚା ହେଉଥିଲା। ଏତିକିବେଳେ ଦୀପକଙ୍କୁ ହତ୍ୟା କରାଯାଇଥିଲା। ଉଭୟ ଦୀପକ ଓ ନିରାକାର ଥିଲେ ମନ୍ତ୍ରୀ ପ୍ରଫୁଲ ମଲ୍ଲିକଙ୍କ ଖାସ ଲୋକ। ତେବେ ବ୍ୟକ୍ତିଗତ ନିହିତ ସ୍ବାର୍ଥ ପାଇଁ ଏସବୁ ହତ୍ୟା ଓ ହତ୍ୟାର ବଦଲା ହତ୍ୟା ବୋଲି ଚର୍ଚ୍ଚା ହେଉଛି। ମନ୍ତ୍ରୀ ପ୍ରଫୁଲ ମଲ୍ଲିକଙ୍କ ପ୍ରୋତ୍ସାହନ ଓ ପରୋକ୍ଷ ଇଙ୍ଗିତରେ ଏସବୁ ହତ୍ୟାକାଣ୍ଡ ଘଟୁଥିବା ଅଭିଯୋଗ କରିଛି ବିଜେପି।
କାମାକ୍ଷାନଗରରେ ଫେଲ ମାରିଛି ଫେଲ ମାରିଛି ବିଜେଡିର ସମ୍ବିଧାନରେ ଅହିଂସା ନୀତି। ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରଫୁଲ ମଲ୍ଲିକ ଚାହିଁଥିଲେ ସମସ୍ୟାର ସମାଧାନ ହୋଇପାରିଥାନ୍ତା । କିନ୍ତୁ କାମକ୍ଷ୍ୟାନଗରରେ ଶାନ୍ତି ପରିବର୍ତ୍ତେ ଅଶାନ୍ତି ସୃଷ୍ଟି ପାଇଁ ସବୁବେଳେ ପ୍ରଫୁଲ ଇନ୍ଧନ ଯୋଗାଇ ଆସିଛନ୍ତି ବୋଲି ଅଭିଯୋଗ ହୋଇଛି । ପ୍ରଫୁଲଙ୍କ ଆଗରେ ଯିଏ ମୁଣ୍ଡ ଟେକିଛି ସେ ରାସ୍ତାରୁ ହଟିଛି ବୋଲି ଏବେ ସାଧାରଣରେ ଚର୍ଚ୍ଚା ହେଉଛି।
ଆହୁରି ପଢନ୍ତୁ ଓଡିଶା ଖବର...