କୋଭିଡ ସ୍ଥିତି ପ୍ରସଙ୍ଗରେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି, ଯେହେତୁ ଦେଶରେ ସଂକ୍ରମଣ ବଢ଼ୁଛି, ରାଜ୍ୟରେ ସଂକ୍ରମଣ ନ ବଢ଼ିବ ବୋଲି କହି ହେବନି । ସତର୍କ ରହିବାକୁ ହେବ । ଆମ ରାଜ୍ୟରେ କେମିତି ସଂକ୍ରମଣ ନ ବଢ଼ିବ, ଯଦି ବଢ଼ିବ ଏହାକୁ କିଭଳି ଆୟତ୍ତ କରାଯିବ, ତାକୁ ଗୁରୁତ୍ୱ ଦିଆଯାଉଛି । ଆଜି ରାଜ୍ୟରେ ମାତ୍ର ୧୧ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଓଡିଶାର ସ୍ଥିତି ଭଲ ଅଛି ।
ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ଅଛି । ଯଦି ଆବଶ୍ୟକ ପଡେ, ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟ ଭିତ୍ତିଭୂମି ବଢ଼ାଯିବ। ଔଷଧ, ଅକ୍ସିଜେନ ରାଜ୍ୟରେ ବ୍ୟାପକ ମାତ୍ରାରେ ମହଜୁଦ ଅଛି ।
କରୋନାକୁ ରୋକିବା ପାଇଁ ମାସ୍କ ବେଶ ଗୁରୁତ୍ୱପୂର୍ଣ୍ଣ । ଭିଡଠୁ ଦୂରେଇ ରହିବା ଦରକାର । ଅଲଗା ରାଜ୍ୟରେ ଯେହେତୁ ସଂକ୍ରମଣ ବଢ଼ୁଛି, ଆମକୁ ସତର୍କ ରହିବାକୁ ପଡ଼ିବ । ଯଦି ଆମେ ସବୁ ନିୟମ ପାଳନ କରିବା, ସଂକ୍ରମଣ କୁ ରୋକିପାରିବା । ଦିଲ୍ଲୀ, ପଞ୍ଜାବରେ ସଂକ୍ରମଣ ହାର ବଢିବା ପରେ ମାସ୍କ ବାଧ୍ୟତାମୂଳକ କରଯାଇଛି । ଦଣ୍ଡବିଧାନ ବ୍ୟବସ୍ଥା ହୋଇଛି । ଯଦି ଆମ ରାଜ୍ୟରେ ସଂକ୍ରମଣ ବଢ଼େ, ମାସ୍କ ଲାଗି ନୂଆ ନିୟମ ଆସିପାରେ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।