ବିଜେଡି ଦଳ ଛାଡିବା ପରେ ଉଭୟ ଭର୍ତ୍ତୃହରି ଓ ଅରିନ୍ଦମଙ୍କୁ ନେଇ ଚର୍ଚ୍ଚା ଜୋର । କାରଣ ଲଗାତାର କିଛିଦିନ ହେଲାଣି ରାଜ୍ୟରେ ଶାସକ ଦଳ ବିଜେଡିରେ ଦେଖାଯାଇଛି ଗୋଷ୍ଠୀକନ୍ଦଳ । ଆଉ ସେହି କନ୍ଦଳରେ ଯୋଡି ହୋଇଯାଇଛି କଟକ । ହେଲେ ଭର୍ତ୍ତୃହରି ଓ ଅରିନ୍ଦମ ଦଳ ଛାଡିବା ପରେ ବିଜେଡିରେ ଏବେ କଟକିଆ ଚେହେରାର ଘୋର ଅଭାବ ହୋଇଛନ୍ତି । ଟାଣୁଆ ସଂଗଠକ ସୁବାସ ସିଂ ଏବେ କଟକ ମେୟର । ସେହିପରି ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ ରାଜ୍ୟସଭାକୁ ଗଲେଣି । ରାଜନୀତି ସମୀକ୍ଷକଙ୍କ ମତରେ ଦେବାଶିଷ ସଜସଜ ରାଜ୍ୟସଭାରୁ ଫେରି ଲୋକସଭା କି ବିଧାନସଭାରୁ ଲଢିବା ସମ୍ଭବ ନୁହେଁ । ଠିକ୍ ସେମିତି ସୁବାସ ସିଂ ସିଏମସି ଦାୟିତ୍ଵରେ ବେଶ ଖୁସି । ଯଦି ବି ତାଙ୍କୁ ଲଢେଇ କରିବାକୁ ଦଳ ଚାହେଁ ତାହାଲେ ସିଏମସି ଦାୟିତ୍ଵ କିଏ ନେବ ? ସେନେଇ ବି ଟେନସନ୍ରେ ବିଜେଡି ।
ଚର୍ଚ୍ଚା ଅନୁସାରେ, କିଛିଦିନ ତଳେ କର୍ପୋରେଟ୍ ଜଗତରୁ ଆସି ବିଜେଡିରେ ଯୋଗ ଦେଇଥିବା ସଂତୃପ୍ତ ମିଶ୍ର କଟକ ସାଂସଦ ପ୍ରାର୍ଥୀ ହେବା ନେଇ ଆଲୋଚନା ହେଇଛି । ସେପଟେ ୨୦୧୯ରେ ବିଜେଡି ହାରିଥିବା କଟକ ବାରବାଟୀ ଆସନରେ ପ୍ରାର୍ଥୀ କିଏ ହେବ ତାକୁ ନେଇ ବି ଦଳର ମୁଣ୍ଡ ବିନ୍ଧା ବଢିଛି । ମୋଟ୍ ଉପରେ ବିଜେଡିରେ ଏବେ କେଉଁଠି ମେଞ୍ଚାଏ ଟିକଟ ଆଶାୟୀ ତ ଆଉ କେଉଁଠି ମୂଳରୁ ନାହିଁ ସ୍ଥିତି । ତେଣୁ ଆଗାମୀ ଦିନରେ କଟକରେ କାହାକୁ ମିଳୁଛି ଟିକଟ ତାହାକୁ ନେଇ ଏବେ ଚର୍ଚ୍ଚା ।