ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି, ବିଜେଡିର ଟେନସନ୍ ସେତିକି ସେତିକି ବଢୁଛି । କାରଣ ଦିନେ ଯେଉଁ ଗଡ଼ ବିଜେଡିର ଥିଲା ଆଜି ସେହି ଗଡ ବିଜେପିର ହେଲାଣି । କାରଣ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ତଥା ଗୋପାଳପୁରର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେପିରେ ସାମିଲ ହେବା ପରେ ଏବେ ସିଏ ବ୍ରହ୍ମପୁରରୁ ସେ ଦଳର ଲୋକସଭା ପ୍ରାର୍ଥୀ । କେବଳ ପ୍ରଦୀପ ନୁହନ୍ତି ବରଂ ଦିଗପହଣ୍ଡିରେ ବିଦ୍ରୋହୀ ସାଜି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନରେ ବିଜେଡିକୁ ମାତ୍ ଦେଇଥିଲେ ବିପିନ ପ୍ରଧାନ । ଆଉ ଦଳ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପରେ ସେ ପଦ୍ମ କ୍ୟାମ୍ପକୁ ଡିଆଁ ମାରିଥିଲେ । କୁହାଯାଉଛି ଗଂଜାମରେ ବିଜେଡିର ଗଣିତ ବିଗାଡିବାରେ ସେ କାଫି । କେବଳ ବିପିନ ନୁହନ୍ତି ବରଂ ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ଭଳି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ଏବେ ମାଳ ମାଳ ଆଶାୟୀ ଆଉ ବିଦ୍ରୋହୀ ।
ନିର୍ବାଚନ ତାରିଖ ଘୋଷଣା ହେବା ପରେ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ମୈଦାନକୁ ଓହ୍ଲାଇବାକୁ କସରସ ଆରମ୍ଭ କଲେଣି । ହେଲେ ଏ କସରତ ଭିତରେ କେମିତି ଦଳ ଟିକଟ ବାଣ୍ଟିବ ସେନେଇ ଟେନସନ୍ରେ । କାରଣ କିଛି ବି ଏପଟ ସେପଟ ହେଲେ ଦଳ ହାରିବା ଥୟ । ମିଳିଥିବା ସୂଚନା ଅନୁସାରେ, ବ୍ରହ୍ମପୁର ଲୋକସଭା ଅନ୍ତର୍ଗତ ୭ଟି ବିଧାନସଭା ନିର୍ବାଚନୀ ମଣ୍ଡଳୀରୁ ୪ ଆସନ ବ୍ରହ୍ମପୁର, ଛତ୍ରପୁର, ଦିଗପହଣ୍ଡି ଓ ଚିକିଟି ବିଜେଡି ପାଖରେ ରହିଛି । ମୋହନା କଂଗ୍ରେସ ପାଖରେ ଥିବା ବେଳେ ପାରଳାଖେମୁଣ୍ଡିରେ ଜିତିଥିଲା ବିଜେପି । ଆଉ ପ୍ରଦୀପ ବିଜେପିରେ ଯୋଗ ଦେବା ପରେ ଗୋପାଳପୁର ଆସନ ବିଜେଡି ପାଇଁ ମୁଣ୍ଡବିନ୍ଧା ପାଲଟିଛି । ପ୍ରଦୀପ ଯଦିଓ ବ୍ରହ୍ମପୁରରୁ ବିଜେପିର ସାଂସଦ ପ୍ରାର୍ଥୀ ହୋଇଛନ୍ତି, କିନ୍ତୁ ପୁରା ଜିଲ୍ଲାରେ ରହିଛି ଦବଦବା। ତେଣୁ ଗଞ୍ଜାମ ଗଡ଼ ବଜାୟ ରଖିବା ଏବେ ବିଜେଡି ପାଇଁ ସବୁଠୁ ବଡ଼ ଟେନସନ।