ଗୋଟିଏ ପଟେ ମିଲେଟକୁ ପ୍ରୋତ୍ସାହନ ପାଇଁ ପିଏମ୍ ମୋଦିଙ୍କ ପ୍ରଚେଷ୍ଟା ନିରନ୍ତର । ଅନ୍ୟପଟେ ମିଲେଟ୍ ମିଶନରେ କ୍ରେଡିଟ୍ ନେବାକୁ ବିଜେଡି ସରକାର ପାଲଟିଛି ମିଥ୍ୟା ତଥ୍ୟର ସୌଦାଗର । ମିଥ୍ୟା ତଥ୍ୟ ଦେଇ ବେଷ୍ଟ ମିଲେଟ୍ ପ୍ରମୋଟିଂ ଷ୍ଟେଟର ଆୱାର୍ଡ ପାଇଛନ୍ତି ଓଡ଼ିଶା ସରକାର । କିନ୍ତୁ ଏବେ ଖୋଲି ଚାଲିଛି ମିଲେଟ୍ ମିଶନ ନାଁରେ ବିଜେଡି ସରକାରଙ୍କ ମିଛ ପ୍ରଚାରର ଗୁମର । ରାୟଗଡ଼ା ବିଷମକଟକ ପରେ ନବରଙ୍ଗପୁରରୁ ଆସିଛି ପ୍ରମାଣ । କର୍ଣ୍ଣାଟକରୁ ଅଣାଯାଉଛି ମାଣ୍ଡିଆ । ଜାଲିଆତି କରି ଓଡ଼ିଶାର ଚାଷୀଙ୍କ ନାଁରେ କରାଯାଉଛି ବିକ୍ରି ।
ମିଲେଟ୍ ମିଶନ ଜରିଆରେ ଆଦିବାସୀ ବହୁଳ ଜିଲ୍ଲା ଗୁଡ଼ିକରେ ମାଣ୍ଡିଆ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଚାଷୀଙ୍କୁ ଏନଜିଓଗୁଡ଼ିକ ମାଧ୍ୟମରେ ୫ ବର୍ଷ ଯାଏଁ ଆର୍ଥିକ ସହାୟତା ଦେବାର ବ୍ୟବସ୍ଥା ଅଛି । ନବରଙ୍ଗପୁର ଜିଲ୍ଲାରେ ୨୦୨୩/୨୪ ଖରିଫ ବର୍ଷରେ ୮ ହଜାର ୧୧ ହେକ୍ଟର ଜମିରେ ୧୨ ହଜାର ୨୦ ଜଣ ଚାଷୀ କରିଥିଲେ ମାଣ୍ଡିଆ ଚାଷ । ଚାଷୀଙ୍କ ଠାରୁ ମାଣ୍ଡିଆ ସଂଗ୍ରହ କରିବା ପାଇଁ "କୃଷକ ସହାୟକ ସଂସ୍ଥା "ଗୋବିନ୍ଦାଳୟ ଆରଏମସି (RMC)କୁ ଦାୟିତ୍ବ ଦିଆଯାଇଛି । କିନ୍ତୁ ସତ କଥା ହେଲା ନାଁ ଚାଷ ପାଇଁ ମିଳୁଛି ପ୍ରୋତ୍ସାହନ ରାଶି ନାଁ ଚାଷୀଙ୍କଠୁ କିଣାଯାଉଛି ମାଣ୍ଡିଆ । ବାହାର ରାଜ୍ୟରୁ ନିମୟିତ ଆମଦାନୀ କରିବା ପରେ ଶହ ଶହ କ୍ବିଣ୍ଟାଲ ମାଣ୍ଡିଆ ଗଚ୍ଛିତ ରଖାଯାଇ ଓଡ଼ିଶା ବ୍ରାଣ୍ଡରେ ପ୍ୟାକେଜିଂ କରାଯାଉଛି । ଆଉ ସ୍ଥାନୀୟ ଆଦିବାସୀ ଏହି ମାଣ୍ଡିଆ ଚାଷ କରିଥିବା ଦର୍ଶାଇ ସେମାନଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରାଯାଉଛି । ଆଦିବାସୀଙ୍କୁ ମାଣ୍ଡିଆ ଚାଷ ନାଁରେ ପ୍ରୋତ୍ସାହନ ଦେବା ପାଇଁ କାମ କରୁଥିବା କେତେକ ଏନଜିଓ ଏବଂ ସ୍ଥାନୀୟ କୃଷି ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଚାଲିଛି ମିଲେଟ୍ କେଳେଙ୍କାରୀ । ସବୁ ଜାଣି ଶୁଣି ଚୁପ୍ ବସିଛନ୍ତି ବିଜେଡି ସରକାର ।
ଅଧିକ ପଢନ୍ତୁ ଓଡ଼ିଶା ଖବର
କିଛିଦିନ ତଳେ ରାୟଗଡ଼ା ଚନ୍ଦ୍ରପୁର ବ୍ଲକ୍ ଡାଙ୍ଗସରଡ଼ାରେ ମଧ୍ୟ ଏମିତି ଧରାପଡ଼ିଥିଲା କର୍ଣ୍ଣାଟକରୁ ଆସିଥିବା ମାଣ୍ଡିଆ ଭର୍ତ୍ତି ଟ୍ରକ୍। ସେ ଘଟଣାରେ ଏ ଯାଏଁ ନିଆଯାଇନାହିଁ କୌଣସି କାର୍ଯ୍ୟାନୁଷ୍ଠାନ। ପ୍ରକୃତରେ ମିଲେଟ ମିଶନ ସଫଳ ହୋଇଥିଲେ ବହୁଗୁଣିତ ହୋଇଥାନ୍ତା ଆଦିବାସୀ ଚାଷୀଙ୍କ ଆୟ । ଏଥିରୁ ପ୍ରମାଣିତ ହେଉଛି ମିଲେଟ୍ ମିଶନ ନାଁରେ ଭୁଆଁ ବୁଲାଉଛନ୍ତି ବିଜେଡି ସରକାର ।