ଅନ୍ୟପଟେ ସିଏଜି ରିପୋର୍ଟରେ ଆସିଥିବା ତଥ୍ୟ ଅନୁଧ୍ୟାନ କରିବା ପାଇଁ ସ୍ଵତନ୍ତ୍ର କମିଟି ଅଛି । ଆବଶ୍ୟକ ପଡିଲେ ସରକାର ପଦକ୍ଷେପ ନେବେ ବୋଲି ବିଜେଡି କହିଛି ।ବୃକ୍ଷରୋପଣରେ ଦୁର୍ନୀତି, ବିଭିନ୍ନ କାର୍ଯ୍ୟରେ ଠିକାଦାରଙ୍କୁ ଅହେତୁକ ଅନୁକମ୍ପା, ସରକାରୀ ଉଦ୍ୟୋଗ ଓ ନିଗମ ଗୁଡିକରେ କ୍ଷତି ତଥା ଘୋଟାଲା ଆଦି ଅନେକ ଚଞ୍ଚକତାକୁ ଧରିଛନ୍ତି ସିଏଜି । ତେବେ ସିଏଜିଙ୍କ ରିପୋର୍ଟ ଆଉ ଏବେ ବିରୋଧୀଙ୍କୁ ବାରମ୍ବାର ହମଲା ପରେ ସରକାର କଣ ପଦକ୍ଷେପ ନେଉଛନ୍ତି ତା ଉପରେ ସମସ୍ତଙ୍କ ନଜର ।

ଅର୍ଗସ ବ୍ୟୁରୋ : ସିଏଜି ରିପୋର୍ଟରୁ ଧରାପଡିଥିବା ବ୍ୟାପକ ଅନିୟମିତତାକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ୧୯୮୪ ମସିହାରୁ ଜୁନ ୨୦୨୦ ସୁଦ୍ଧା ୩୪୭୩ଟି ରିପୋର୍ଟ ସେଟେଲମେଣ୍ଟ ପାଇଁ ପେଣ୍ଡିଂ ଅଛି । ୯୫ ପ୍ରତିଶତ ରିପୋର୍ଟ ଗତ ୨୨ ବର୍ଷ ଭିତରେ ପେଣ୍ଡିଂ ରହିଛି । ୧୦ ବର୍ଷରୁ ଅଧିକ ୧୩୨୮ଟି ରିପୋର୍ଟ ପେଣ୍ଡିଂ ଅଛି । ୧୨୨୨ଟି ରିପୋର୍ଟ ଉପରେ ରାଜ୍ୟ ସରକାର କୌଣସି ଉତ୍ତର ଦେଇନାହାନ୍ତି । ଅଡିଟ ନକରି ଅଧିକ ଅର୍ଥ ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର । ୧୬୧୦ କୋଟି ଟଙ୍କାର ଗୁରୁତର ଅନିୟମିତତା ହୋଇଛି । କେନ୍ଦ୍ରର କାମ୍ପା ଫଣ୍ଡରେ ବୃକ୍ଷରୋପଣ ପାଇଁ ଆସୁଥିବା ଅର୍ଥ ଅନ୍ୟ କୌଣସି ଦିଗରେ ଖର୍ଚ୍ଚ କରାଯିବ ନାହିଁ । କିନ୍ତୁ କାମ୍ପା ଫଣ୍ଡରୁ ୨୨୫.୮୪ କୋଟି ଟଙ୍କା ରାଜ୍ୟ ସରକାର ଡ଼ାଇଭର୍ଟ କରିଥିବା ବିଜେପି ଅଭିଯୋଗ କରିଛି । ଏହାସହ ରାଜ୍ୟ ସରକାର ସଠିକ୍ ସମୟରେ ବିନିଯୋଗ ପ୍ରମାଣ ପତ୍ର ଦେଉନାହାନ୍ତି । ୩୬ ହାଜର ୧୯୪ କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ରାଜ୍ୟ ସରକାର ଏବେ ଯାଏଁ କେନ୍ଦ୍ର ସରକାରଙ୍କୁ ଦେଇନଥିବା ଅଭିଯୋଗ କରିଛି ବିଜେପି ।

