ଏଥିସହିତ ଯୁବ ମୋର୍ଚ୍ଚା କର୍ମୀଙ୍କୁ ଝାରପଡା ଜେଲରେ ଭେଟିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, କେ.ଭି. ସିଂଦେଓଙ୍କ ସମେତ ଦଳର ଏକାଧିକ ବିଧାୟକ ମଧ୍ୟ ମନମୋହନଙ୍କ ନେତୃତ୍ୱରେ ଯୁବ ମୋର୍ଚ୍ଚା କର୍ମୀଙ୍କୁ ଭେଟିଛନ୍ତି । 28 ଫେବୃଆରୀରୁ ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ସମେତ 22 ଜଣ ଜେଲରେ ଅଛନ୍ତି । ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଏବଂ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଘଟଣାକୁ ନେଇ ବିଧାନସଭା ଘେରିବା ସହ ବ୍ୟାପକ ଆନ୍ଦୋଳନ କରିଥିଲେ ଯୁବ ମୋର୍ଚ୍ଚା କର୍ମୀ । ତେବେ ଆନ୍ଦୋଳନ ବେଳେ ପୋଲିସ ସହ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହେବା ସହ କିଛି କର୍ମୀ ଏବଂ ପୋଲିସ ଅଧିକାରୀ ମଧ୍ୟ ଆହତ ହୋଇଥିଲେ । ଏ ଘଟଣାକୁ ନେଇ ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ଏବଂ ଅନ୍ୟ କର୍ମୀଙ୍କୁ ଗିରଫ କରି ଜେଲ ପଠାଇଛି ପୋଲିସ ।
ଆମେ ସତ୍ୟ ଓ ନ୍ୟାୟ ପାଇଁ ଲଢେଇ କରୁଛୁ । ରକ୍ଷକ ହୋଇ ଭକ୍ଷକ ସାଜିଥିବା ସରକାର ବିରୋଧରେ ଲଢେଇ କରିଥିଲା ଯୁବ ମୋର୍ଚ୍ଚା । ବାରମ୍ବାର ବିରୋଧୀ ଦଳ ନେତା କହିବା ସତ୍ୱେ ଆଜି ପର୍ଯ୍ୟନ୍ତ ତଦନ୍ତର କୌଣସି ରୂପରେଖ ହେଲା ନାହିଁ । ମିଛ କେସ କରି ଜେଲରେ ଭର୍ତ୍ତି କରି କଣ୍ଠରୋଧ କରିବାକୁ ଚାହିଁଲେ ଚଳିବ ନାହିଁ । ଏ ଲଢେଇ ଆଗାମୀ ଦିନରେ ବି ଚାଲିବ । ଦଳ ସବୁ ବିଷୟ ତର୍ଜମା କରିବ ଏବଂ ପଦକ୍ଷେପ ନିଆଯିବ । ଓଡିଶାରେ ଆଉ ଗଣତନ୍ତ୍ରକୁ ହତ୍ୟା କରି ଏକଛତ୍ରବାଦ ଶାସନ ଚାଲିବ ନାହିଁ । ଶେଷ ହୋଇ ଆସିଲାଣି । ବହୁତ ଲମ୍ବା ସମୟ ନାହିଁ । ବର୍ତ୍ତମାନ ସେମାନେ ଗୋଟିଏ ଭୁଲ ପାଇଁ 100ଟି ଭୁଲ କରିବା ଆରମ୍ଭ କଲେଣି । ସବୁ ପରିସମାପ୍ତି ହେବ ବୋଲି କହିଛନ୍ତି ମନମୋହନ ।