ମୁଖିଆଙ୍କ କଥା ଛାଡ଼ନ୍ତୁ । 60 ବିଧାୟକ, 15 ମନ୍ତ୍ରୀ ବର୍ତ୍ତମାନ ବିଜେପିର ବିଜୟରଥ ରୋକିବା ପାଇଁ ମୈଦାନରେ ଅଛନ୍ତି । ଶାସକ ଦଳର ପରିସ୍ଥିତି ଏମିତି ହୋଇଛି ଯେ ସମୀର ଦାଶ, ପ୍ରତାପ ଜେନା, ଦିବ୍ୟଶଙ୍କର ମିଶ୍ର, ଅରୁଣ ସାହୁ ଓ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପରି ଦାଗୀ ମନ୍ତ୍ରୀ, ଯେଉଁମାନଙ୍କ ପାଇଁ ଓଡ଼ିଶା ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି, ସେମାନଙ୍କୁ ମଧ୍ୟ ପଦମପୁରରେ ପ୍ରଚାର ଦାୟିତ୍ବ ଦିଆଯାଇଛି । ଲାଗୁଛି ଯେମିତି ପୂରା ଭୁବନେଶ୍ବର ଏବେ ପଦମପୁର ସିଫ୍ଟ ହୋଇଛି । ପରିସ୍ଥିତି ଏମିତି ହୋଇଛି ଯେ କେନ୍ଦୁପତ୍ର ତୋଳାଳିଙ୍କୁ ଥୋପ ହେଉ କି ଜିଲ୍ଲା ଘୋଷଣା ପ୍ରତିଶ୍ରୁତି । ରେଳ ଓ ଚାଷୀଙ୍କ ସ୍ବାର୍ଥ । ସବୁ ପରେ ଏବେ ଟଙ୍କାବାଣ୍ଟି ଭୋଟ୍ କିଣିବାର ପ୍ରୟାସ କରି । ସାମ୍, ଦାମ୍, ଦଣ୍ଡ, ଭେଦ ସବୁ ପ୍ରୟୋଗ କରିଛି ଶାସକ ଦଳ । ୨୨ ବର୍ଷର ସରକାର ଓ ୨୫ ବର୍ଷର ଜନସେବାରେ କଣ କରିଛି ନ କହି ଶାସକ ବିଜେଡି ଏବେ କେବଳ ସ୍ବପ୍ନ ଦେଖାଇବାରେ ବ୍ୟସ୍ତ ।
ଧାମନଗରେ ଫେଲ ମାରିଥିଲେ ବିଜେଡିର ୟଙ୍ଗ ବ୍ରିଗେଡ । ପଦମପୁରରେ ଅଭିଜ୍ଞ ବ୍ରିଗେଡ ଉପରେ ବି ନାହିଁ ଭରସା। ସେଥିପାଇଁ ନବୀନଙ୍କୁ ଶେଷ ଅସ୍ତ୍ର ଭାବେ ମଇଦାନ ଓହ୍ଲାଇଲା ଦଳ। ମୁଖ୍ୟମନ୍ତ୍ରୀ ପ୍ରଚାରରେ ସବୁବେଳେ ନିଜ କଥା କୁହନ୍ତି କାହାକୁ କାଉଣ୍ଟର କରନ୍ତିନି । କିନ୍ତୁ ପଦମପୁରରେ ଭାଙ୍ଗିଛି ଚିରାଚରିତ ଷ୍ଟାଇଲ। ଧର୍ମେନ୍ଦ୍ରଙ୍କ ପ୍ରଶ୍ନର ନବୀନ ରଖିଲେ ଉତ୍ତର। ଆଉ ନବୀନଙ୍କ ଉତ୍ତରର ଧର୍ମେନ୍ଦ୍ର ଦେଲେ ପ୍ରତ୍ୟୁତ୍ତର । ପଦମପୁରରେ ଫାଇଟ୍ ଏବେ ଚରମ ସୀମାରେ ପହଞ୍ଚିଥିବା ବେଳେ 8ରେ ସ୍ପଷ୍ଟ ହେବ ଯେ ଭୋଟରଙ୍କ ଭରସା ଜିତିବାରେ କେଉଁ ଦଳ ସମର୍ଥ ହୋଇଛି ?