ଗଲା ୩ ତାରିଖ ଦିନ ଗୋପାଳପୁର ଠାରେ ଚାଲିଥିବା କ୍ରିକେଟ ମ୍ୟାଚ ଦେଖିବା ପାଇଁ ଘରେ କହି ଯାଇଥିଲେ । ଆଉ ସେଠାରେ କୌଣସି ଏକ କାରଣକୁ ନେଇ ଦୃର୍ବୃତ୍ତଙ୍କ ସହ ବଚସା ହୋଇଥିଲା । ଆଉ କ୍ରିକେଟ ଖେଳ ଦେଖି ଘରକୁ ଫେରିବା ବେଳେ ହରିପୁର ଛକ ନିକଟରେ ଜଗିରହିଥିବା ଦୃର୍ବୃତ୍ତ ମାନେ କରିଥିଲେ ଆକ୍ରମଣ । ଘଟଣା ସ୍ଥଳରେ ଟଳି ପଡିଲେ ଡିଲେଶ୍ୱର । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବ୍ରହ୍ମପୁର ମେଡିକାଲ ପରେ ଭୁବନେଶ୍ୱର ଅଣାଯାଇଥିଲା । ୪ ଦିନ ଧରି ଜୀବନ ସହ ସଂଗ୍ରାମ କରିବା ପରେ ଶେଷରେ ଆଖି ବୁଝିଛନ୍ତି ଡିଲେଶ୍ୱର । ଯବାନଙ୍କ ମୃତ୍ୟୁ ପରେ ଚାରିଆଡେ ଚହଳ ପଡିଛି । ଜଣେ ଯବାନଙ୍କୁ କେମିତି ଦୃର୍ବୃତ୍ତ ମାନେ ହତ୍ୟା କଲେ ବୋଲି ଚର୍ଚ୍ଚା ହେଉଛି ।
ଏହି ଚର୍ଚ୍ଚା ଭିତରେ ଡିଲେଶ୍ୱରଙ୍କ ପରିବାର ଲୋକ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସାଂଘାତିକ । ଅଭିଯୋଗ ଅନୁସାରେ, ଗୋପାଳପୁରରେ ହେଉଥିବା କ୍ରିକେଟ ମ୍ୟାଚରେ ଅତିଥି ଭାବେ ଯୋଗ ଦେଇଥିଲେ ଡିଲେଶ୍ୱର । ସେହି ସମୟରେ କୌଣସି କାରଣରୁ ମ୍ୟାଚରେ ହାରି ଯାଇଥିବା ଦଳର ଯୁବକମାନଙ୍କ ସହ ତାଙ୍କର ବଚସା ହୋଇଥିଲା । ତାପରେ ଫେରିବା ବାଟରେ ଡିଲେଶ୍ୱରଙ୍କୁ ଆକ୍ରମଣ କରିଥିଲେ କିଛି ଦୁର୍ବୃତ୍ତ ।
ଅନ୍ୟପଟେ ପୋଲିସ ଦୁଇଟି ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଛି । ସେଦିନର ଘଟଣାରେ କେଉଁମାନେ ସମ୍ପୃକ୍ତ ଥିଲେ ସେମାନଙ୍କୁ ଖୋଜିବା ସହ ଜଣଙ୍କୁ ଅଟକି ରଖି ପଚରାଉଚୁରା କରୁଛି ଗଞ୍ଜାମ ପୋଲିସ । ଭୁବନେଶ୍ୱର ଘରୋଇ ହସ୍ପିଟାଲରୁ ମର ଶରୀର ଗାଁରେ ପହଞ୍ଚିବା ପରେ ଶେଷ ଦର୍ଶନ ପାଇଁ ଶହ ଶହ ଲୋକ ରୁଣ୍ଡ ହୋଇଥିଲେ । ଗାଁ ମଶାଣିରେ ଗାର୍ଡ ଅଫ ଅନର ଦିଆଯିବା ସହ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ନିଜ ଜନ୍ମ ମାଟିରେ ହୋଇଥିଲା ଯବାନଙ୍କ ଶେଷକୃତ୍ୟ ।