ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ, ୨୦୧୮ ଜୁଲାଇ ମାସରେ ମୁଁ ସ୍ବାଭିମାନ ଅଞ୍ଚଳକୁ ଯାଇଥିଲି ଏବଂ ଗୁରୁପ୍ରିୟା ସେତୁ ଉଦ୍ଘାଟନ କରିଥିଲି । ସ୍ବାଭିମାନ ଅଞ୍ଚଳର ବିକାଶ କାମକୁ ଆଗେଇ ନେବାକୁ ମୁଁ ସେତେବେଳେ ସେତୁ ଯୋଜନାରେ ୧୦୦ କୋଟି ଟଙ୍କାର ସ୍ଵତନ୍ତ୍ର ପ୍ୟାକେଜ ଘୋଷଣା କରିଥିଲି । ପରେ ଏହାକୁ ୨୧୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଏଥିରେ ଶିକ୍ଷା ଠାରୁ ଆରମ୍ଭ କରି ଜୀବିକା ସ୍ବାସ୍ଥ୍ୟ ସେବା, ଯୋଗାଯୋଗ, ପିଇବା ପାଣି, ଜଳସେଚନ, ଘର, ବ୍ୟାଙ୍କ ସେବା ଆଦି ବିଷୟ ଉପରେ ଗୁରୁତ୍ବ ଦିଆଯାଇଛି ।
ସ୍ବାଭିମାନ ଅଞ୍ଚଳରେ ଭଲ ହଳଦୀ ଚାଷ କରାଯାଏ । ଏହାର ମଧ୍ୟ ବହୁତ ଆଦର ରହିଛି । ତେଣୁ ସ୍ବାଭିମାନ ଅଞ୍ଚଳରେ ଅଧିକ ହଳଦୀ ଚାଷ ସହିତ ବ୍ରାଣ୍ଡିଂ ପାଇଁ ପଦକ୍ଷେପ ନିଆଯାଇଛି । ବିଜୁଳି ସେବା ପାଇଁ 33 x 11କେଭି ସବଷ୍ଟିଚ୍ୟୁସନ କାମ ଖୁବ ଶୀଘ୍ର ଶେଷ ହେବ। 11 କେଭି 3 ଫେଜ୍ ଲାଇନ୍ କନେକ୍ସନ ଦିଆଯିବ। ଗାଁ ଗାଁରେ କଂକ୍ରିଟ ରାସ୍ତାଠାରୁ ଆରମ୍ଭ କରି 78 କି.ମି ପିଚୁ ରାସ୍ତା ଓ ୭ଟି ସେତୁ ପାଇଁ ୧୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ସ୍ଵଚ୍ଛ ପିଇବା ପାଣି ପାଇଁ ୨୦ କୋଟି ଟଙ୍କାରେ ଗୋଟିଏ ମେଗା ପାଇପ୍ ୱାଟର ସପ୍ଲାଏ ପ୍ରୋଜେକ୍ଟ ଆରମ୍ଭ ହୋଇଛି। ୨୫୦ଟି ଟ୍ୟୁବ ୱେଲ କାମ ଶେଷ ହୋଇଛି । ୩୨ କୋଟି ଟଙ୍କା ଖର୍ଚ୍ଚରେ ଜଳସେଚନ ପାଇଁ ୪୩ଟି ଉଠା ଜଳସେଚନ ପ୍ରୋଜେକ୍ଟ ଏବଂ 419ଟି କ୍ଲଷ୍ଟର ଡିପ୍ ବୋରୱେଲ କରାଯିବ। ଏହାଦ୍ବାରା ୧୭୦୦ ହେକ୍ଟର ଜମିକୁ ପାଣି ମିଳିପାରିବ । ସ୍ବାଭିମାନ ଅଞ୍ଚଳର ୮୨ଟି ଅଙ୍ଗନବାଡି କେନ୍ଦ୍ର ଓ ସ୍ଵାସ୍ଥ୍ୟ ସବ ସେଣ୍ଟର କାମ ଚାଲିଛି। ଖୁବ ଶୀଘ୍ର ଏହା ଶେଷ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।