ସତ ଦେଖିବାକୁ ଗଲେ ସେଦିନ ପୂରା ମାମଲାରେ ମିଡିଆ କାନ୍ଧରେ ବନ୍ଧୁକ ରଖିଦେଇ ଦେଖଣାହାରୀ ପାଲଟିଥିଲା ବନ ବିଭାଗ । କଦଳୀ ଦେଖାଇ ହାତୀକୁ ବାହାର କରିବା ଛଡ଼ା ଆଉ କିଛି କରିନଥିଲା ବନ ବିଭାଗ । ହାତୀ ଘଉଡ଼ାଇବାର ଟେକନିକ ବି କଣ ଜାଣିନଥିଲେ ବନ ବିଭାଗ ? ବନ କର୍ମଚାରୀଙ୍କୁ ଏନେଇ କଣ କିଛି ଟ୍ରେନିଂ ମିଳିନଥିଲା ? ଗଭୀର ପାଣିସୁଅରେ ମଧ୍ୟ ପହଁରୀ ନଦୀ ପାର ହେବାର କ୍ଷମତା ରଖେ ହାତୀ । ହେଲେ ହାତୀକୁ ଦେଖିବକୁ ହୋଇଥିବା ଶହ ଶହ ଲୋକଙ୍କ ସମାଗମ ଯେପରି ହାତୀ ଗତିପଥକୁ ଅବରୋଧ କଲା । ତେଣୁ ଦୁଇ ପାର୍ଶ୍ବରେ ରାସ୍ତା ବନ୍ଦ କରିଥିଲେ ସେଦିନ କଥା ସରିଥାନ୍ତେ । ହେଲେ ତାହା ନକରି କେବଳ ନାଟ ଦେଖୁଥିଲେ ଆଠଗଡ଼ ଓ ଚନ୍ଦକା ଡିଏଫଓଙ୍କ ଟିମ୍ । କେବଳ ମୁଣ୍ଡଳି ହାତୀ ନୁହେଁ, ସେଦିନ ମହାନଦୀ ପାର୍ ହେଉଥିବା ୧୭ ଟିକିଆ ହାତୀପଲକୁ ମଧ୍ୟ ଟ୍ରାକ୍ କରୁନଥିଲା ବନ ବିଭାଗ । ତେଣୁ ହାତୀ କରିଡରରେ ଖୋଳାଯାଇଥିବା ଟ୍ରେଞ୍ଚର ଅବସ୍ଥା କାମରେ ଆସୁନଥିଲା ନା ସେସବୁ ପୋତି ହୋଇଯାଇଥିଲା ? ବଣୁଆ ହାତୀଙ୍କୁ ଘଉଡ଼ାଇବାକୁ ତାଲିମ ପାଇଥିବା କୁମକି ହାତୀଙ୍କୁ କାହିଁକି ସେଦିନ କାମରେ ଲଗାଯାଇନଥିଲା ? ଏହି ସବୁ ପ୍ରଶ୍ନର ଉତ୍ତର ପାଇଁ ତଦନ୍ତ ହେବା ନିହାତି ଦରକାର । ହେଲେ ଏଯାଏଁ ନିଦରେ ଶୋଇଛି ବନ ବିଭାଗ ।
ସେହିପରି ଓଡ୍ରାଫ୍ ଟିମ୍ ମଧ୍ୟ ନିଜ ଆଡ଼ୁ ତଦନ୍ତ କରିବାର ନିହାତି ଆବଶ୍ୟକତା ରହିଥିଲା । ବୋଟ୍ ଓଲଟିବା ବେଳେ ବୋଟ୍ ଇଞ୍ଜିନ ଅନ୍ ଥିଲା ନା ନାହିଁ ? ଯଦି ଥିଲା ପାଣିର ସ୍ରୋତକୁ କାଟିପାରିଲାନି କାହିଁକି ? ଓଡ୍ରାଫର ଗୋଟିଏ ଟିମ୍ ଭିତରକୁ ଯାଇଥିବା ବେଳେ କୌଣସି ଅଘଟଣ ପାଇଁ ଆଉ ଟିମ୍ ଥିଲା କି ନାହିଁ ? ତେବେ କ'ଣ ଓଡ୍ରାଫ୍ ଟିମ୍ ପାଖରେ ପ୍ଲାନ୍ ବି ହିଁ ନଥିଲା ? ଆଜି ବି ଏକ ଲୁହଭିଜା ସ୍ମୃତି ହୋଇ ରହିଛି ମୁଣ୍ଡଳି ଟ୍ରାଜେଡି । ହେଲେ ଯାହାର ଭୁଲ୍ ପାଇଁ ଏତେ ବଡ଼ ଅଘଟଣ ଘଟିଲା, ଦୁଇ ଦୁଇଟି ଅମୂଲ୍ୟ ଜୀବନ ଗଲା । ସେମାନେ ଏବେ ବି ବେଫିକର ।