ଅଧିକ ପଢନ୍ତୁ : ରାସ୍ତା ଉପରେ ଉପୁଡ଼ି ପଡିଛି ବଡ଼ ବଡ଼ ଗଛ
ଅନେକ ଲୋକଙ୍କ ଜୀବିକା ଛଡେଇ ନେଇଛି ଦାନା । କେତେ ପରିଶ୍ରମ କରି କ୍ଷେତରେ ତିଆରି କରିଥିବା ଫସଲକୁ ମାତ୍ର କିଛିକ୍ଷଣରେ ନଷ୍ଟ କରିଦେଲା ବାତ୍ୟା । କେମିତି ବଞ୍ଚିବେ , କେମିତି ନିଜ ପରିବାର ଚଳାଇବେ ସେ ନେଇ ଖୁବ ଭାଙ୍ଗିପଡିଛନ୍ତି , କେନ୍ଦ୍ରାପଡା ଅଞ୍ଚଳର ଅନେକ ଚାଷୀ ପରିବାର । ଚାଷକୁ ବେଉସା କରି ଦିନରାତି ପରିଶ୍ରମ କରିଥିବା ବେଳେ ବାତ୍ୟାର ଉପଦ୍ରବ ତାଙ୍କୁ ଯେପରି ହତାଶ କରିଦେଇଛି । ଗତକାଲି ଦାନାର ଉପଦ୍ରବରେ ଉଜୁଡିଯାଇଛି କେନ୍ଦ୍ରାପଡା, ବାଲେଶ୍ବର , ଭଦ୍ରକର ଅନେକ ଅଞ୍ଚଳ । କେଉଁଠି ଗଛ ଭାଙ୍ଗି କାହାର ଘର ନଷ୍ଟ ହୋଇଯାଇଛି, ତ କେଉଁଠି ଏକର ଏକର ଜମିରେ ଲୁଣା ପାଣି ପଶି ସମ୍ପୁର୍ଣ୍ଣ ଧାନ ନଷ୍ଟ କରି ଦେଇଛି । ଲକ୍ଷାଧିକ ଟଙ୍କା ଋଣ ନେଇ ଚାଷ କରିଥିବା ଚାଷୀ ପରିବାର ଏବେ ଛାରଖାର । କେନ୍ଦ୍ରାପଡା ଅଞ୍ଚଳର ପ୍ରାୟ ୫୭୧ ପରିବାର ଲୋକ ପାଣି ଘେରରେ ଅଛନ୍ତି । ସେପଟେ ଅନେକ ଚାଷୀଙ୍କ କ୍ଷୟକ୍ଷତି ଆକଳନ କରାଯାଇ ସେମାନଙ୍କୁ କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି ଉପ ମୂଖ୍ୟମନ୍ତ୍ରୀ କେଭି ସିଂଦେଓ । ବାତ୍ୟାରେ ବିଶେଷ ପ୍ରଭାବିତ ହୋଇଥିବା ରାଜନଗର ଓ ରାଜକନିକାରେ ଅଧିକ ଦିନ ରିଲିଫ ପରିଚାଳନା କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।