ତେବେ ଏସବୁ ସ୍ଥାନରେ ଲୁହା ବ୍ୟାରିକିଡର ଆବଶ୍ୟକତା ପଡୁଥିବା ବେଳେ ଅଯଥାରେ ରାଜଧାନୀର ଉପକଣ୍ଠରୁ ହଜାର ହଜାର ବାଉଁଶ ଗଛ କଟାଯାଇ ବାଡ ତିଆରି କରି ଲଗାଯାଇଥିବା ଦେଖିବାକୁ ମିଳିଛି । ଏହାଦ୍ୱାରା ପରିବେଶ ସନ୍ତୁଳନ ବିଗିଡିବା ସହିତ ବାଉଁଶ ଗଛ ବିଲୁପ୍ତି ମୁହଁକୁ ଠେଲି ହୋଇଯାଉଥିବା ନେଇ ପରିବେଶବିଦ୍ ଉଦବେଗ ପ୍ରକାଶ କରିଛନ୍ତି।
କେବଳ ରାଜଧାନୀ ଉପକଣ୍ଠ ନୁହେଁ ମୟୂରଭଞ୍ଜର ବାରିପଦା, କୋରାପୁଟର ଜୟପୁର, ବଲାଙ୍ଗୀର, ନବରଙ୍ଗପୁର ଜିଲ୍ଲାର ପ୍ରାୟ ୩୯୦୨ ହେକ୍ଟର ଜମିରେ ବାଉଁଶ ଚାଷ କରାଯାଉଛି । ତେବେ ସୌନ୍ଦର୍ଯ୍ୟକରଣ ନାଁରେ ଅବାଧ ଭାବେ ଗଛ କଟା ଚାଲୁଥିବା ବେଳେ ଦିନେ ଜୀବ ଜଗତରୁ ବାଉଁଶ ବିଲୁପ୍ତ ହୋଇଯିବାର ଆଶଙ୍କା ରହିଛି । ଖାଲି ଜଙ୍ଗଲ ନଷ୍ଟ ହେଉଛି ତାହା ନୁହେଁ ଗଜରାଜ ହାତୀଙ୍କ ବାଉଁଶ ପ୍ରଧାନ ଖାଦ୍ୟ ହୋଇଥିବା ବେଳେ ଏଥିରେ ସଙ୍କଟ ଦେଖାଦେଇଛି । ଫଳରେ ବିଭିନ୍ନ ସ୍ଥାନରେ ହାତୀ ଜନବସତି ମୁହାଁ ହେଉଛନ୍ତି । ଏହା ଉପରେ ରୋକ ଲଗାଇବା ସହିତ କିପରି ରାଜଧାନୀ ଉପକଣ୍ଠ ସହିତ ବିଭିନ୍ନ ଜିଲ୍ଲା ଗୁଡିକରେ ବାଉଁଶ ଜଙ୍ଗଲ ବ୍ୟାପକ ମାତ୍ରାରେ ସୃଷ୍ଟି କରିହେବ ସେନେଇ ସରକାର ଦୃଷ୍ଟି ଦିଅନ୍ତୁ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।
କିଛି ବର୍ଷ ତଳେ ରାଜ୍ୟରେ ବାଉଁଶ ଚାଷ ବୃଦ୍ଧି କରିବା ନେଇ ସରକାର ବାଉଁଶ ମିଶନ ଗଠନ କରିଥିଲେ । ଏହା ଦ୍ଵାରା ଚାଷୀଙ୍କୁ ସବ୍ସିଡି ପ୍ରଦାନ ସହିତ ବାଉଁଶ ଚାଷ ପାଇଁ ଉତ୍ସାହିତ କରିବିକୁ ଲକ୍ଷ୍ୟ ରହିଥିଲା । ଏବେ ଏହି ବାଉଁଶ ମିଶନ ଶୀତଳ ଭଣ୍ଡାରରେ ପଡିଥିବା ଭଳି ମନେ ହେଉଛି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।