ଶ୍ରୀ ପ୍ରଧାନ ତାଙ୍କ ଟୁଇଟର ପେଜ୍ରେ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶାର ପୂର୍ବତନ ବାଚସ୍ପତି,ରାଜ୍ୟସଭା ସାଂସଦ ତଥା ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ବିୟୋଗ ଖବର ଶୁଣି ମୁଁ ବ୍ୟକ୍ତିଗତ ଭାବେ ଦୁଃଖିତ ଓ ମର୍ମାହତ। 2000 ମସିହାରେ କିଶୋର ଭାଇ ଓ ମୁଁ ଏକାସାଙ୍ଗରେ ବିଧାନସଭାକୁ ନିର୍ବାଚିତ ହୋଇଥିଲୁ। 2004ରେ ଦେବଗଡ଼ ଲୋକସଭା କ୍ଷେତ୍ରର ମୁଁ ସାଂସଦ ଥିବା ବେଳେ ସେ ଝାରସୁଗୁଡ଼ାର ବିଧାୟକ ଥିଲେ ।
ନିକଟରେ ଶ୍ରୀମନ୍ଦିର ଦର୍ଶନ କରି ଫେରିବା ସମୟରେ କିଶୋର ଭାଇ ଏବଂ ସପରିବାର ସହ ସାକ୍ଷାତ୍ ହୋଇଥିଲା । ମୁଁ ବିଶ୍ୱାସ କରିପାରୁ ନାହିଁ ଆଜି ସେ ଆମ ଗହଣରେ ନାହାନ୍ତି ।
ପଶ୍ଚିମ ଓଡ଼ିଶାରେ ସେ ଜଣେ ଟାଣୁଆ ଓ ସ୍ପଷ୍ଟବାଦୀ ରାଜନେତା ଭାବେ ପରିଚିତ ଥିଲେ । ତାଙ୍କ ବିୟୋଗରେ ଓଡ଼ିଶା ରାଜନୀତିରେ ଏକ ଅପୂରଣୀୟ ଶୂନ୍ୟ ସ୍ଥାନ ତିଆରି ହୋଇଛି ।
ଲମ୍ବା ସମୟର ରାଜନୀତିରେ ସେ ଜନପ୍ରତିନିଧି ଭାବେ କରିଥିବା କାର୍ଯ୍ୟ ସର୍ବଦା ସ୍ମରଣୀୟ ହୋଇ ରହିବ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି । ଏହି ଦୁଃଖଦ ସମୟରେ ମହାପ୍ରଭୁ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହାସ ଦିଅନ୍ତୁ । ଓଁ ଶାନ୍ତି ।