ପ୍ରତିଶ୍ରୁତିର ପାହାଡ, କିନ୍ତୁ ବଦଳିଲାନି ଭାଗ୍ୟ। ଆଜି ବି ମମତା ସେହି ଭଙ୍ଗା ଝୁମ୍ପୁଡି ଘରେ ଜାତୀୟ ସ୍ତରର ସନ୍ତରଣକାରୀ ମମତା ଭୋଇ। ବର୍ଷା ହେଲେ ପାଣି ଗଳୁଛି, ଦାନା ମୁଠାଏ ପାଇଁ ସଂଘର୍ଷ କରୁଛନ୍ତି ମମତା। ଖୋଲିଯାଇଛି ରାଜ୍ୟ ସରକାରଙ୍କ କ୍ରୀଡା ପ୍ରୋତ୍ସାହନର ଗୁମର। ଦିନେ ପୁଲରେ ବ୍ୟାକ ଷ୍ଟ୍ରୋକ୍, ବଟରଫ୍ଲାଏ କରି ସେ ଥିଲେ କୁଇନ୍। କିନ୍ତୁ ଏବେ ବଞ୍ଚିବା ପାଇଁ କରୁଛନ୍ତି ସଂଘର୍ଷ। ୭ଦିନ ପରେ ବି ମମତାଙ୍କ ପାଖରେ ପହଞ୍ଚିନି ପ୍ରଶାସନ। ଗତ ୧୪ ତାରିଖରେ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇ ଖଣ୍ଡିଏ ଘର, ଚାକିରି ଓ ଛୁଆର ପାଠପଢା ପାଇଁ କରିଥିଲେ ଗୁହାରି। ମାତ୍ର ୭ଦିନ ବିତିଗଲା, କୌଣସି ଅଧିକାରୀ ମମତାଙ୍କ ପାଖରେ ପହଞ୍ଚିଲେନି କି ସହଯୋଗର ହାତ ବଢାଇଲେନି ।
ରାଜ୍ୟର ଗର୍ବ ଓ ଗୌରବଙ୍କୁ ଏମିତି ସମ୍ମାନ। ଦିନେ ରାଜ୍ୟ ପାଇଁ ସୁଇମିଂରେ ସଫଳତା ଆଣିଥିବା ମମତା ଆଜି ଦି ଓଳି ଖାଇବା ପାଇଁ କରୁଛନ୍ତି ସଂଘର୍ଷ। ଗୋଟିଏ ପଟେ କ୍ରୀଡାକୁ ନେଇ ସରକାର ବଡ ବଡ ପ୍ରଚାର କରୁଛନ୍ତି, ମାତ୍ର ମମତାଙ୍କ ସଂଘର୍ଷ ଖୋଲି ଦେଇଛି ବାସ୍ତବତା। ସହାୟତା ପାଇଁ ବାବୁଙ୍କ ପାଖରେ ଯାଇ ହାତ ପତାଇଲେ, ମାତ୍ର ଏବେ ଯାଏ କୌଣସି ଅଧିକାରୀ ତାଙ୍କୁ ଦେଖା କରିବାକୁ କି ତାଙ୍କ ଦୁଃଖ ସୁଖ ବୁଝିବାକୁ ବି ଗଲେନି। ଏପରିକି ଅସୁସ୍ଥ ହୋଇ ୪ଦିନ ମେଡିକାଲରେ ପଡିରହିଲେ ମମତା। ଏହାପରେ ବି କୌଣସି ଅଧିକାରୀ ତାଙ୍କ ପାଖରେ ପହଞ୍ଚିନଥିଲେ ।
ବର୍ଷା ହେଲେ ଏହି ଭଙ୍ଗା ଘରେ ଛତା ଧରି ବସି ଝିଅ ସହ କାଟୁଛନ୍ତି ରାତି। ପାଣି ଗଳି ଭିଜୁଛି ଲୁଗାପଟା, ଭିଜୁଛି ବହି। ତଥାପି ପଡୁନି ପ୍ରଶାସନର ନଜର। କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା, ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଶୁଣୁଛନ୍ତି ତ ମମତାଙ୍କ ଗୁହାରି। କାହିଁକି ମମତା ମୁଣ୍ଡ ଉପରେ ନାହିଁ ପକ୍କା ଘର ? କାହିଁକି ଜାତୀୟ ସ୍ତରର ଖେଳିଳାଙ୍କୁ ମିଳିଲାନି ନିଯୁକ୍ତି ?...ଧିରେ ଧିରେ ମଉଳି ଯିବାକୁ ବସିଛି ମମତାଙ୍କ ଆଶା ।