ଅର୍ଗସ ବ୍ୟୁରୋ: ଓଡ଼ିଶାରେ ଯାହା ଅଛି ଦେଶର ଅନ୍ୟ କୌଣସି ରାଜ୍ୟରେ ନାହିଁ । ପ୍ରାକୃତିକ ସମ୍ପଦ ଏତେ ମାତ୍ରାରେ ଅଛି ଯେ ଆଜି ଦେଶର ନମ୍ବର ୱାନ ରାଜ୍ୟ ହୋଇପାରିଥାଆନ୍ତା ଓଡ଼ିଶା । ହେଲେ ବିଜେଡି ସରକାର ପାଇଁ ଆଜି ଓଡ଼ିଶାର ଅବସ୍ଥା ପୂରା ସଙ୍ଗୀନ । ବିକାଶ ତ କଲେନି ବରଂ ଦାଦନ ବଢାଇଲେ, ବିନାଶ କରିଦେଲେ । ପ୍ରଥମେ ଶାହ, ପରେ ନଡ୍ଡା ଆଉ ଏବେ ପ୍ରଧାନମନ୍ତ୍ରୀ ବି କହିଲେ ସମାନ କଥା । ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି କହିଥିଲେ, ବିଜେଡି ସରକାର ଲାଗି ଓଡ଼ିଶାର ବିକାଶ ହେଉନି । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ହିଞ୍ଜିଳିରେ ଏବେ ଯେମିତି ଦାଦନ ସମସ୍ୟା ରହିଛି ଆଠମଲ୍ଲିକରେ ତାହା ହେବାକୁ ଦେବିନି ଆଉ ଏବେ ପୁଣି ମୋଦି ବି ସମାନ କଥା କହିଥିବାରୁ ଚର୍ଚ୍ଚା ଜୋର ।
ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶାକୁ ନେଇ ବଡ଼ ପ୍ରତିକ୍ରିୟା ରଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଜେଡି ସରକାରରେ ଓଡ଼ିଶା ତଳିତଳାନ୍ତ ତ ହେଲାଣି, ପ୍ରାକୃତିକ ସମ୍ପଦ ନଷ୍ଟ କଲେ । ଆଉ ଏବେ ପୁଣି ଥରେ ଓଡ଼ିଆ ଅସ୍ମିତା, ସ୍ଵାଭିମାନ, ଭାଷା ସାହିତ୍ୟ ସଙ୍କଟରେ ପକାଇଲେ । ବିଜେଡି ସରକାର ଓଡ଼ିଶାର ଅବସ୍ଥା ଖରାପ କରି ରଖିଛି, ଆଉ ବେଶୀଦିନ ଓଡ଼ିଶାବାସୀ ସହିବେ ନାହିଁ , ଏଥର ପରିବର୍ତ୍ତନ ହେବ ବୋଲି ଘରୋଇ ନ୍ୟୁଜ୍ ଚ୍ୟାନେଲ ନ୍ୟୁଜ୍ 18କୁ ସାକ୍ଷାତକାର ଦେଇ କହିଛନ୍ତି ମୋଦି । ଆଉ ମାତ୍ର ୧୫ ଦିନ ପରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ । ଆଉ ତା' ପୂର୍ବରୁ ମୋଦି ଯେମିତି ପ୍ରତିକ୍ରିୟା ରଖିଛନ୍ତି ତାହାକୁ ନେଇ ଏବେ ରାଜନୈତିକ ଚର୍ଚ୍ଚା ଜୋର ।
ସଂଧ୍ୟାରେ ନଡ୍ଡା ବ୍ରହ୍ମପୁରରେ ବର୍ଷିଲେ । ସେପଟେ ସାକ୍ଷାତକାର ଦେଇ ମୋଦି ବି ରାଜ୍ୟ ସରକାର ଉପରେ ବର୍ଷିଲେ । ମୋଦି କହିଛନ୍ତି, ବିଜୁ ଜନତା ଦଳ ଆମକୁ ମୁଦ୍ଦା ଅନୁଯାୟୀ ସମର୍ଥନ ଦେଉଥିଲା । ଏଭଳି ଅନେକ ଦଳ ଆମକୁ ପ୍ରସଙ୍ଗ ଭିତ୍ତିକ ସମର୍ଥନ କରନ୍ତି । ବିଜେଡି ସହ ଆମର ସଂପର୍କ ରାଜ୍ୟରେ ପୂରା ଅଲଗା। ଓଡ଼ିଶାର ପୂରା ଅସ୍ମିତା ଏବେ ଖତମ୍ ହେବାକୁ ବସିଛି । ଓଡ଼ିଶାବାସୀ ଏହାକୁ କେବେ ବି ବରଦାସ୍ତ କରିବେ ବୋଲି ମୁଁ ଭାବୁନି । ରାଜ୍ୟକୁ ଏବେ ସୁସ୍ଥ ସରକାରର ଆବଶ୍ୟକତା ରହିଛି । ଆମକୁ ଓଡ଼ିଶାର ସେବା ପାଇଁ ସୁଯୋଗ ମିଳିବା ଦରକାର । ସୁଯୋଗ ମିଳିଲେ, ଆମେ ଓଡ଼ିଶାକୁ ନୂଆ ଶିଖରକୁ ନେବୁ ।
ମୋଟ୍ ଉପରେ ଜଣଙ୍କ ପରେ ଜଣେ କେନ୍ଦ୍ରୀୟ ନେତା ଓଡ଼ିଶା ଗସ୍ତରେ ଆସିବା ସହିତ ନବୀନ ସରକାର ଉପରେ ବର୍ଷୁଛନ୍ତି । ବର୍ଷୁଛନ୍ତି ତାହା ନୁହେଁ ବରଂ କେମିତି କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ହଡପ୍ କରୁଛନ୍ତି ସେନେଇ ପୋଲ ଖୋଲୁଛନ୍ତି । ପ୍ରଥମେ ଶାହ, ପରେ ନଡ୍ଡା ଆଉ ଏବେ ଖୋଦ୍ ପ୍ରଧାନମନ୍ତ୍ରୀ ଶାସନ ବ୍ୟବସ୍ଥାର ଗୁମର ଖୋଲିଦେଇଛନ୍ତି । ତେବେ ନବୀନ ବାବୁ କହୁଛନ୍ତି, ହିଞ୍ଜିଳି ମଡେଲ୍ ବିକାଶ କଥା । ହେଲେ ଆପଣମାନେ ଦେଖିଛନ୍ତି, ନବୀନ ବାବୁଙ୍କ ବିକାଶର ମାନେ...ବ୍ଲକ୍ ପିଛା ୩୦ ମଦ ଦୋକାନ ଆଉ ବ୍ଲକ୍ ପିଛା ଲକ୍ଷେ ଲୋକ ଦାଦନ । ରାଜ୍ୟରୁ ଖଣିଜ ସମ୍ପଦ, ଦାଦନ ଲୋକ ନେଇ ତାମିଲନାଡୁ ଯିବେ । ଆସିଲା ବେଳକୁ ତାମିଲ ଠିକାଦାରଙ୍କୁ ଆଣି ଆମକୁ ନାଲିଆଖି ଦେଖାଇବେ । ତେବେ ସମୟ କହିବ ସଚେତନ ଭୋଟର କାହାକୁ ଦେଉଛନ୍ତି ଭୋଟ୍ ।