ବାଲଟିରେ ସଜା ହୋଇଥିବା ଗୋଲାପ ଫୁଲ, ଯେତିକି ସୁନ୍ଦର, ଏହା ପଛରେ ଥିବା ଚାଷୀଙ୍କ ପ୍ରେରଣାଦାୟୀ କାହାଣୀ ବି ସେତିକି ସଂଘର୍ଷମୟ । ଆଜିର ପ୍ରଗତିଶୀଳ ଦୁନିଆରେ ଚାକିରି ପଛରେ ନଦୌଡି ଗୋଲାପ ଫୁଲ ଚାଷ କରି ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ । ଏ ହେଉଛନ୍ତି ବୋଲଗଡର ସଫଳ ଯୁବ ଚାଷୀ ଆନନ୍ଦ ଚନ୍ଦ୍ର ସାହୁ । ଯିଏ କି ନିଜ ଉଦ୍ୟମ ବଳରେ କରିଛନ୍ତି ଗୋଲାପ ଚାଷ । ଗୋଲାପ ଚାଷରୁ ସେ ବାର୍ଷିକ 5 ରୁ 6 ଲକ୍ଷ ଟଙ୍କା ରୋଜଗାର କରିବା ସହ 4ଟି ପରିବାରକୁ କରାଇପାରିଛନ୍ତି ରୋଜଗାରକ୍ଷମ ।
ଉଦ୍ୟାନ ବିଭାଗ ସହାୟତାରେ ଏକ ଏକର ଯାଗାରେ ଗୋଲାପ ଚାଷ କରୁଛନ୍ତି ଆନନ୍ଦ । ଏଥିପାଇଁ ସେ 45ଲକ୍ଷ ଟଙ୍କା ବିନିଯୋଗ ମଧ୍ୟ କରିଛନ୍ତି । ପ୍ରତ୍ୟେକ ଫୁଲ ପିଛା ଦର 6ରୁ 10 ଟଙ୍କା ରହିଥିବା ବେଳେ ରାଜ୍ୟରେ ତାଙ୍କ ଗୋଲାପ ଫୁଲର ରହିଛି ବେଶ ଡିମାଣ୍ଡ । ଭୁବନେଶ୍ବର, ଖୋର୍ଦ୍ଧା,କଟକ ଓ ବଲାଙ୍ଗୀର ପରି ବିଭିନ୍ନ ସ୍ଥାନକୁ ଗୋଲାପ ପଠାଯାଉଥିବା କୁହନ୍ତି ଆନନ୍ଦ । ଫୁଲ ଚାଷ କରି ଆନନ୍ଦ ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ରୋଜଗାର ଯୋଗାଇ ଦେଇଛନ୍ତି । ଆଉ ତାଙ୍କ ବଗିଚାର ଗୋଲାପ ଫୁଲକୁ ଯିଏ ଥରେ ଦେଖିଛି ସେ ହିଁ ଜାଣିଛି ପ୍ରକୃତି କୋଳରେ ଗୋଲାପର ଚାଦର କେତେ ସୁନ୍ଦର ।
ବର୍ଷ ତମାମ ନାଲି ଗୋଲାପର ଚାହିଦା ଥିବା ବେଳେ ଅନନ୍ଦଙ୍କ ଫାର୍ମରୁ ବାହାରୁଥିବା ଏହି ସୁନ୍ଦର ଓ ସତେଜ ଗୋଲାପର ଚାହିଦା ଢେର ଅଧିକ । ସ୍ଥାନୀୟ ଫୁଲ ବ୍ୟବସାୟୀ ମାନେ ପୂର୍ବରୁ କଲିକତା ଓ ବ୍ୟଙ୍ଗଲୋରରୁ ଗୋଲାପ ଫୁଲ ଆଣୁଥିବା ବେଳେ ଏବେ ଆନନ୍ଦଙ୍କ ଠାରୁ ସତେଜ ଗୋଲାପ ନେଇ ବ୍ୟବସାୟ କରୁଥିବା କହିଛନ୍ତି ଫୁଲ ବ୍ୟବସାୟୀ । ଆଗାମୀ ଦିନରେ ସଂପୂର୍ଣ୍ଣ ଭାବେ ଜୈବିକ ପଦ୍ଧତିରେ ଫୁଲ ଚାଷ କରିବା ପାଇଁ ଯୋଜନା କରିଛନ୍ତି ଆନନ୍ଦ । ଏଥିପାଇଁ ସରକାରଙ୍କ ସାହାଯ୍ୟ ଓ ସହଯୋଗ ଲୋଡିଛନ୍ତି ଆନନ୍ଦ ।
ଆହୁରି ପଢନ୍ତୁ ଓଡିଶା ଖବର...