ସମ୍ବଲପୁର: ଜିଲ୍ଲାପାଳ ହେଲେ ବାସନ୍ଦ । ଜିଲ୍ଲାପାଳଙ୍କୁ ସମଗ୍ର ଜିଲ୍ଲାରେ ଵାସନ୍ଦ କରାଯାଇଛି । ସମ୍ବଲପୁରର ଚାଷୀମାନେ ତାଙ୍କୁ ବାସନ୍ଦ କରିଛନ୍ତି । ଆଜି ବକେୟା କୃଷୀ ବୀମା ରାଶି, ମରୁଡି କ୍ଷତିପୁରଣ ପରି ପ୍ରମୁଖ ସମସ୍ୟା ନେଇ ସମଗ୍ର ଜିଲ୍ଲାର ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସମୟରେ ଜିଲ୍ଲାପାଳ ଚାଷୀଙ୍କୁ ନ ଭେଟିବାରୁ ଏମିତି ନିଷ୍ପତ୍ତି ନେଇଛି କୃଷକ ସଙ୍ଗଠନ । ଆଜିଠାରୁ କୌଣସି କାର୍ଯ୍ୟରେ ଜିଲ୍ଲାପାଳ ବା ଜିଲ୍ଲାପ୍ରଶାସନକୁ କୌଣସି ସହଯୋଗ କରିବନି ଜିଲ୍ଲାର ଚାଷୀ । ସମ୍ବଲପୁର ଜିଲ୍ଲାର ଚାଷୀମାନେ ୨୦୧୮ ର ବକେୟା ବୀମା ରାଶି, ବକେୟା ମରୁଡି ସହାୟତା ରାଶି ଆଦି ପ୍ରମୁଖ କୃଷି ସମସ୍ୟାର ସମାଧାନ ପାଇଁ ସମ୍ବଲପୁର କଚେରୀ ଛକରୁ ଜିଲ୍ଲାପାଳଙ୍କ ଅଫିସ ପାର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରାରେ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ସମୟରେ ଚାଷୀମାନେ ଜିଲ୍ଲାପାଳଙ୍କୁ ଭେଟିବାକୁ କହିଥିଲେ କିନ୍ତୁ ଜିଲ୍ଲାପାଳ ନିଜେ ନଆସି ଅତିରିକ୍ତ ଜିଲ୍ଲାପାଳଙ୍କୁ ପଠାଇଦେଇଥିଲେ ।
ଏହାକୁ ଚାଷୀ ମାନେ ଗ୍ରହଣ କରିନଥିଲେ । ଯାହାଦ୍ୱାରା ଚାଷୀମାନେ ଜିଲ୍ଲାପାଳଙ୍କୁ ବାସନ୍ଦ କରିବାର ନିଷ୍ପତ୍ତି ନେଇଛନ୍ତି । ଚାଷୀର ଏହି ଆନ୍ଦୋଳନରେ କୁଚିଣ୍ତାର ପୁର୍ବତନ ବିଜେପି ବିଧାୟକ ରବି ନାଏକ ସାମିଲ ହୋଇ ଚାଷୀଙ୍କୁ ସର୍ମଥନ କରିଛନ୍ତି । ଆଗାମୀ ଦିନରେ ଚାଷୀ ମାନେ ଏକ ବୈଠକ କରି ଏକ ବଡ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେବେ ବୋଲି ଆହ୍ୱାନ ଦେଇଛନ୍ତି । ଏପଟେ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ଯେ, ଗତ କାଲି ସୁଦ୍ଧା ଜିଲ୍ଲାକୁ ବୀମାରାଶୀ ବାବଦରେ ୩୫କୋଟି ଟଙ୍କା ଆସିଛି ଯାହା ଆସନ୍ତା କାଲି ସୁଦ୍ଧା ଚାଷୀଙ୍କ ଆକାଉଣ୍ଟକୁ ପଠାଯିବ । ୨୦୧୮ ମରୁଡି ସହାୟତା ରାଶି ବାବଦରେ ୩୩ କୋଟି ଆବଶ୍ୟକ ଥିବାବେଳେ ବର୍ତ୍ତମାନ ସୁଦ୍ଧା ୧୪ କୋଟି ୫୦ ଲକ୍ଷ ଟଙ୍କା ଆସିଛି । ଯାହା ୪ଟି ବ୍ଲକ ହିତାଧିକାରୀ ଚାଷୀଙ୍କୁ ଦିଆ ଯାଇସାରିଛି । ଆଉ ୧୯ କୋଟି ଟଙ୍କା ପାଇଁ ରାଜ୍ୟସରକାରଙ୍କୁ ଲେଖାଯାଇଛି ଯାହା ଆସିଲେ ବାକି ଥିବା ଟଙ୍କା ଚାଷୀଙ୍କୁ ଦିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।

