ଏ ହେଉଛନ୍ତି ବିରେନ କୁମାର ଦତ୍ତ। ବୟସ 45 ବର୍ଷ। ଭଙ୍ଗା କୁଡ଼ିଆରେ କଟୁଛି ଜୀବନ। ସ୍ତ୍ରୀ ଓ ଦୁଇ ଛୋଟ ପୁଅ ଝିଅକୁ ନେଇ ତେଲ ଲୁଣର ସଂସାର। ପେଷାରେ ସେ ଜଣେ ଡ୍ରାଇଭର। ପରିବାର ର ଏକମାତ୍ର ସେ ହେଉଛନ୍ତି ରୋଜଗାରକ୍ଷମ। ଗାଡି ଚଳାଇ ଯାହା ରୋଜଗାର କରନ୍ତି ସେହିଥିରେ ଦୁଃଖେକଷ୍ଟେ ଚଳିଯାନ୍ତି । ହେଲେ ଗତ 7 ବର୍ଷ ତଳେ ସେ କିଡନୀ ରୋଗର ଶିକାର ହୋଇଛନ୍ତି। ଚିକିତ୍ସାପାଇଁ କଟକ ବଡ ଡାକ୍ତରଖାନାକୁ ଯାଆନ୍ତି। କିନ୍ତୁ ଚିକିତ୍ସାରେ ସେଭଳି କିଛି ସୁଫଳ ମିଳି ନଥିଲା। ପ୍ରତି ସପ୍ତାହରେ ଥରେ ଯିବାକୁ ପଡୁଛି କଟକ ବଡ଼ ଡାକ୍ତରଖାନାକୁ ଡାଏଲୋସିସ ପାଇଁ। ଯିବା ପାଇଁ ମଧ୍ୟ ପାଖରେ ସମ୍ବଳ ନାହିଁ। ଏତେ ଟଙ୍କା ଆଣିବେ କେଉଁଠୁ ଚିକିତ୍ସାପାଇଁ। ଘରେ ପଡି ରହିଛନ୍ତି ଦିନେ ଖାଇଲେ ଦୁଇଦିନ ଉପବାସ। ଏବେ ଅସ୍ୱାଭାବିକ ଭାବେ ପାଦ ଫୁଲିବାରେ ଲାଗିଛି।
ଯେପରି କଥାରେ ଅଛି ବୋଝ ଉପରେ ନଳିତା ବିଡ଼ା। ଯେଉଁଠି ଭଲସେ ଦୁଇ ଓଳି ଦୁଇ ମୁଠା ଖାଇବା ପାଇଁ କଷ୍ଟ। ଛୋଟ ଛୋଟ ଦୁଇଟି ଛୁଆଙ୍କ ପାଠପଢା କଥା ପଚାରେ କିଏ । ଯାହା ଯୋଉଠି ଥିଲା ବିକି ଭାଙ୍ଗି ସର୍ଵସ୍ୱାନ୍ତ ହେଲା ପରେ ସାଇ ପଡିଶା ସାହାଯ୍ୟ ସହଯୋଗ ହାତ ବଢ଼ାଇ ଏ ପର୍ଯ୍ୟନ୍ତ ନେଇଛନ୍ତି। ହେଲେ ସମ୍ଭଳ ଅଭାବରୁ ଏବେ ଜୀବନ ସହ ସଂଗ୍ରାମ କରୁଛନ୍ତି ବିରେନ।
କିଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାପାଇଁ ଭାଙ୍ଗିପଡିଥିବା ବିରେନଙ୍କ ପୁରା ପରିବାର କେବଳ ସହାୟତାର ଅପେକ୍ଷାରେ।
ଅଧିକ ଓଡ଼ିଶା ଖବର ପଢ଼ନ୍ତୁ