ଗତକାଲି ସଂଧ୍ୟାରେ ହଠାତ୍ ଖବର ଆସିଥିଲା ନିଜ ସରକାରୀ କ୍ଵାର୍ଟର୍ସରେ ବାଲେଶ୍ଵର ସିମୁଳିଆ ବିଡିଓ ଆତ୍ମହତ୍ୟା କରିଛନ୍ତି । ହେଲେ ହଠାତ୍ କାହିଁକି ବିଡିଓ ଆତ୍ମହତ୍ୟା କଲେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ସତ ଯେବେ ସାମ୍ନାକୁ ଆସିଥିଲା ତାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । ବିଶ୍ଵରଂଜନଙ୍କ ପରିବାରର ଅଭିଯୋଗ ଅନୁସାରେ, ତାଙ୍କ ପୁଅ କେବେ ଆତ୍ମହତ୍ୟା କରିବ ନାହିଁ । ପ୍ରବଳ ଚାପ ଥିଲା ଏବଂ ଛୁଟି ବି ମିଳୁନଥିଲା । ତେଣୁ ଇଏ ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ବୋଲି ଅଭିଯୋଗ କରିଥିଲେ ପରିବାର । କିନ୍ତୁ ଆଜି ପ୍ରେସମିଟ୍ରେ ବିଜେପି ନେତା ବ୍ଲକରେ କଣ ଚାଲିଥିଲା ସେନେଇ ଗୁମର ଖୋଲିବା ସହ ପୁରା ଘଟଣାରେ ଜିପିଓଙ୍କୁ ତଦନ୍ତ ପରିସରଭୁକ୍ତ କରାଗଲେ ସତ ଜଣାପଡିବ ବୋଲି କହିଛନ୍ତି ।
ଘନେଇବାରେ ଲାଗିଛି ସିମୁଳିଆ ବିଡିଓଙ୍କ ଆତ୍ମହତ୍ୟା ପ୍ରସଙ୍ଗ । ହଠାତ୍ ଜଣେ ବ୍ଲକର ସର୍ବୋଚ୍ଚ କ୍ଷମତାଶାଳୀ ଅଫିସର ଏମିତି କେମିତି ଆତ୍ମହତ୍ୟା କଲେ ସେନେଇ ପ୍ରଶ୍ନ ଉଠିବା ସ୍ଵାଭାବିକ କଥା । କିନ୍ତୁ ପୂରା ଘଟଣାରେ କେଉଁଠି ନା କେଉଁଠି ରାଜନୈତିକ ଚାପ ସାମ୍ନାକୁ ଆସୁଛି । ନିୟମ ଅନୁସାରେ ସରକାରୀ ଅଫିସର ଗୋଟିଏ ସ୍ଥାନରେ ୩ ବର୍ଷରୁ ଅଧିକ ସମୟ ରହିଲେ ବଦଳି ହୁଏ । କିନ୍ତୁ ସିମୁଳିଆର ଜିପିଓ ମୃତ୍ୟୁଞ୍ଜୟ ନାୟକ ୭ ବର୍ଷ ହେଲାଣି ଗୋଟିଏ ସ୍ଥାନରେ ରହିଛନ୍ତି । ବଦଳି ପାଇଁ ବ୍ଲକ ଘେରାଉ ବି ହୋଇଥିଲା । କିନ୍ତୁ କାର୍ଯ୍ୟାନୁଷ୍ଠାନ ଶୂନ ।
ଅଭିଯୋଗ ଅନୁସାରେ, ଶାସକ ଦଳର ଛତ୍ରଛାୟାରେ ଜିପିଓ ଥିବାରୁ ତାଙ୍କର କାହାରିକୁ ଖାତିର ନଥିଲା । ଯେଉଁଥି ଲାଗି ଜଣେ ନିରୀହ ବିଡିଓଙ୍କର ଜୀବନ ଗଲା । ତେବେ ଏଠାରେ ପ୍ରଶ୍ନ, ୫-ଟି ସରକାରରେ ବଡବଡ କଥା କହୁଛନ୍ତି ନବୀନ ବାବୁ । ହେଲେ ଖୋଦ ପ୍ରଶାସନିକ ବାବୁ ଏଇଠି ସୁରକ୍ଷିତ ନୁହନ୍ତି ସେଇଠି ସାଧାରଣ ଜନତା କେମିତି ସୁରକ୍ଷିତ ରହିବେ ? କେବେ ନ୍ୟାୟ ପାଇବେ ବିଶ୍ଵରଞ୍ଜନ ? କିଛି ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି ।
(ସିମୁଳିଆରୁ ମନୋଜ ପ୍ରଧାନଙ୍କ ରିପୋର୍ଟ)