କିଏ ଏହି ମନୋଜ ଆଉ କେମିତି ଆରମ୍ଭ ହୋଇଥିଲା ସରସ୍ବତୀଙ୍କ ସହ ପ୍ରେମ ?ମୃତକ ସରସ୍ବତୀ ଏବଂ ମନୋଜ ମଧ୍ୟରେ ପ୍ରଥମ ଥର ୨୦୧୪ରେ ହୋଇଥିଲା ସାକ୍ଷାତ । ଏକ ରାସନ ଦୋକାନରେ କାମ କରୁଥିଲା ମନୋଜ । ରାସନ ଦୋକାନରେ ପ୍ରଥମ ଥର ଦେଖା...ପରେ ପରେ ଦୁହିଁଙ୍କ ମଧ୍ୟରେ ଗଢ଼ିଉଠିଥିଲା ପ୍ରେମ ସମ୍ପର୍କ । ୨୦୧୬ରୁ ଏକାଠି ରହୁଥିଲେ ମନୋଜ- ସରସ୍ବତୀ । ମୀରା ରୋଡ ନୟା ନଗର ଥାନା ପୋଲିସର କହିବା ଅନୁସାରେ ସରସ୍ବତୀଙ୍କ ୩ ଭଉଣୀ ଅଛନ୍ତି । ସମସ୍ତେ ନୟା ନଗର ଥାନା ପହଞ୍ଚି ସରସ୍ବତୀଙ୍କ ଭଉଣୀ ହୋଇଥିବା ପରିଚୟ ଦେଇଛନ୍ତି । ଏହାସହ ମନୋଜ ଏବଂ ସରସ୍ବତୀ ବିବାହ କରିଥିଲେ ଏବଂ ସେମାନେ ପତିପତ୍ନୀ ହୋଇଥିବା କହିଛନ୍ତି ସରସ୍ବତୀଙ୍କ ଭଉଣୀ । ସବୁଠାରୁ ବଡ଼ କଥା ୨୦୦୮ରୁ ମନୋଜ ଏଚଆଇଭି ପଜିଟିଭି, ତେଣୁ ସରସ୍ବତୀଙ୍କ ସହ ସେ କୌଣସି ଶାରୀରିକ ସମ୍ପର୍କ ରଖିନଥିବା କହିଛି ।
56 ବର୍ଷୀୟ ମନୋଜ ସାଣେ ଲିଭ ଇନ ପାର୍ଟନର ୩୨ ବର୍ଷିୟ ସରସ୍ବତୀ ବୈଦ୍ୟଙ୍କୁ ମୁମ୍ବାଇ ମୀରା ରୋଡରେ ଥିବା ଏକ ଆପାର୍ଟମେଣ୍ଟରେ ଅତି ନିର୍ମମ ଭାବେ ହତ୍ୟା କରି ଦୁଇଟି ଗଛ କଟରରେ ଖଣ୍ଡଖଣ୍ଡ କରିଥିଲା ଶରୀର, ପରେ ମାଂସ ଖଣ୍ଡ ଗୁଡ଼ିକୁ ବାଲଟିରେ ରଖି ପ୍ରେସର କୁକରରେ ସିଝାଇ କୁକୁରଙ୍କୁ ଖୁଆଉଥିଲା । ହେଲେ ପଡ଼ୋଶୀଙ୍କ ସନ୍ଦେହ ଏବଂ ମନୋଜର ଫ୍ଲାଟରୁ ବାହାରୁଥିବା ଦୁର୍ଗନ୍ଧ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଥିଲା । ମନୋଜ ଓ ସରସ୍ବତୀ ଆକାଶଗଙ୍ଗା ବିଲଡିଂର ୭ମ ଫ୍ଲୋରରେ ଭଡ଼ାରେ ରହୁଥିଲେ । ୩ ବର୍ଷ ହେଲା ଦୁହେଁ ଏକାଠି ଥିବା ବେଳେ କିଛି ଦିନ ହେଲା ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଏବଂ ବଚସା ଲାଗିରହୁଥିଲା । ସୋମବାର ମନୋଜଙ୍କ ପଡ଼ୋଶୀଙ୍କ ନାକରେ ଦୁର୍ଗନ୍ଧ ବାଜିବାରୁ ପ୍ରଥମେ ଆପାର୍ଟମେଣ୍ଟ କର୍ତ୍ତୁପକ୍ଷ ଏବଂ ପରେ ପୋଲିସକୁ ଖବର ଦେଇଥିଲେ ।
ପୁଲିସ ଯାଞ୍ଚ କରିବା ପରେ ହତ୍ୟା ପାଇଁ ବ୍ୟବହୃତ ଗଛ କଟା ମେସିନ ଏବଂ ୩ଟି ବାଲଟିରେ ମାଂସ ଖଣ୍ଡ ଜବତ କରିଛି ପୋଲିସ । ମିଳିଥିବା ମୃତଦେହରୁ କିଛି ଅଂଶ ଗାଏବ ରହିଛି । ତେଣୁ ମନୋଜ ଏହାକୁ ପର୍ଯ୍ୟାୟକ୍ରମେ ବିଭିନ୍ନ ଅଞ୍ଚଳରେ ଫିଙ୍ଗି ଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି । ପୋଲିସ୍ ଖଣ୍ଡବିଖଣ୍ଡିତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।