ରାଜ୍ୟରେ ଧାନ କିଣାରେ ହେଉଛି ମହାଘୋଟାଲା। କଟନୀ ଛଟନୀ ମାଧ୍ୟମରେ ଚାଷୀଙ୍କୁ ଲୁଟୁଛନ୍ତି ସାହୁକାର ରୂପୀ ମିଲର। ନିୟମିତ ଭାବେ ରାଜ୍ୟର ବିଭିନ୍ନ କୋଣରୁ ଏଭଳି ଅଭିଯୋଗ ଆସୁଥିଲେ ବି ନିଦାବିଷ୍ଣୁ ଯୋଗାଣ ବିଭାଗ ଆଉ କୁମ୍ଭକର୍ଣ୍ଣ ନିଦରେ ଶୋଇଛନ୍ତି ରାଜ୍ୟ ସରକାର। ଏହାର ପ୍ରତିବାଦରେ ଆଜି ଭୁବନେଶ୍ବରରେ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ବାସଭବନ ଘେରାଉ କରିଛି ନବନିର୍ମାଣ କୃଷକ ସଂଗଠନ। ଚାଷୀଙ୍କ ଉପରେ ଜୁଲମ୍କୁ ବିରୋଧ କରି ଯୋଗାଣ ମନ୍ତ୍ରୀଙ୍କ ବାସଭବନ ଘେରାଉ କରିଛି ନବନିର୍ମାଣ କୃଷକ ସଙ୍ଗଠନ। ଗେଟ୍ ଭିତରକୁ ଧସେଇ ପଶି ସଂଗଠନର ସଦସ୍ୟ ମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନାରାବାଜି କରିଛନ୍ତି। ବିକ୍ଷୋଭ ବେଳେ କିଛି ବିକ୍ଷୋଭକାରୀଙ୍କୁ ଉଠାଇ ନେଇଛି ପୋଲିସ।
ଅଧିକ ଓଡ଼ିଶା ଖବର ପଢ଼ନ୍ତୁ
ମନ୍ତ୍ରୀ ସେମାନଙ୍କ ସହ ଆଲୋଚନା କରନ୍ତୁ ବୋଲି ସଙ୍ଗଠନ ପକ୍ଷରୁ ଦାବି ହୋଇଛି। ଚାଷୀକୂଳ ସର୍ବଦା ହଇରାଣ ହରକତ ହେଉଥିବା ବେଳେ ତାକୁ ନେଇ କାହାର ଚିନ୍ତା ନାହିଁ। ଚାଷୀଙ୍କ ଦାବି ପୂରଣ ନହେଲେ ଆଗାମୀ ଦିନରେ ଦୁର୍ବାର ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି। କେବଳ ଆଜି ନୁହେଁ ପୂର୍ବରୁ ବହୁବାର ଚାଷୀ ସମସ୍ୟାକୁ ନେଇ ଆନ୍ଦୋଳନ ହେଉଥିଲେ ମଧ୍ୟ ବିଭାଗର କାର୍ଯ୍ୟାନୁଷ୍ଠାନ ଶୂନ, ଯାହା ବିଭାଗର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।