ଏ ଗଲା ଠକାଠକିର ଭେଜ୍ ପାର୍ଟ । ଏଥର ଟିକେ ନନଭେଜ ଆଡେ ଯିବା।
ଜମାଟୋ ହଉ କି ସୁଇଗି ଅଥବା ଆଉ କୌଣସି ଖାଦ୍ୟ ଯୋଗାଣକାରୀ ଅନଲାଇନ ସଂସ୍ଥା। ଯେଉଁ ପିଲାମାନେ ଏଥିରେ ଚାକିରି କରିଛନ୍ତି ସେମାନେ ସମ୍ପୃକ୍ତ କମ୍ପାନୀର ଖଣ୍ଡେଖଣ୍ଡେ ଗଞ୍ଜି ପାଇଛନ୍ତ, ବ୍ୟାଗ୍ ବି ପାଇଛନ୍ତି। ହେଲେ ବ୍ୟାଗରେ କ’ଣ ବୁହା ହେଉଛି ସେ କଥା କେବଳ ୩ ଜଣଙ୍କୁ ଜଣା। ଯିଏ ମଗେଇଛନ୍ତି, ଯିଏ ନେଇକି ଯାଉଛନ୍ତି ଆଉ ସ୍ବୟଂ ମା’ ଗେଙ୍ଗେଇ।
କହିବାର ଅଭିପ୍ରାୟ ଏହି କି ଯେ, ନିକଟରେ କଟକରେ ଏମିତି ଠକାଠକି କାରବାର କଥା ଲେଖିଲେଖି ଆମ ଆଙ୍ଗୁଠି ବିଣ୍ଡି ହେଇଗଲାଣି। ଆଉ ଏବେ ଆଉ ଗୋଟେ ଠକେଇ ସାମ୍ନାରେ ପଡିଛି। ଜୋମାଟୋ ଡ୍ରେସ୍ ପିନ୍ଧି ମଦ ବିକୁଛନ୍ତି ଯୁବକ।
କ’ଣ କହିବ କୁହନ୍ତୁ। ହଇଓ ଲକ ଡାଉନ ବେଳେ ଲୋକଙ୍କୁ ଖାଇବାକୁ ଦେବାକୁ ତୁମକୁ ଦାୟିତ୍ବ ଦିଆଗଲା, ତୁମେ ପିଆଇ ଦେଲ !
ଛାଡନ୍ତୁ ସେ କଥା। ଆମେ ଶୁଣିଛୁ କୁଆଡୁ ଅଭିଯୁକ୍ତଙ୍କୁ କଟକ ମାଲଗୋଦାମ ଥାନା ପୋଲିସ ଗିରଫ କରିଛି । ଜୋମାଟୋ ଡେଲିଭରି ବଏ ରୂପରେ ମଦ ବିକୁଥିବା ଖବର ପାଇ ଚଢାଉ ପରେ ପାଖାପାଖି ୨୦ ଲିଟର ମଦ ସହ ଏକ ବାଇକ ଜବତ କରାଯାଇଛି। ଗିରଫ ଯୁବକ ଜଣକ ହେଉଛି କଟକ ତୁଳସୀପୁରର ପ୍ରଶାନ୍ତ ସାହୁ। ବର୍ତ୍ତମାନ ତାକୁ ଅଧିକ ପଚରାଉଚରା କରୁଛି ମାଲଗୋଦାମ ଥାନା ପୋଲିସ।
ରାଜ୍ୟରେ ଦିନକୁ ଦିନ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାକୁ ଦୃଷ୍ଟିରେ ରଖି ଲକଡାଉନ ଏବଂ ସଟଡାଉନ କରାଯାଉଛି। ଏଭଳି ସ୍ଥିତିରେ ଅନେକ ଲୋକ ଚୋରୀ କରୁଥିବା ନଜିର ରହିଛି।