ନିଜ ପିଲାକୁ ବାପାର ପରିଚୟ ଦେବା ପାଇଁ ସ୍ୱାମୀଙ୍କ ଘର ସମ୍ମୁଖରେ ଆନ୍ଦୋଳନ କରୁଥିଲେ ଦୀପିକା। ପୂର୍ବରୁ ମଧ୍ୟ ମହିଳା କମିଶନ ଙ୍କ ନିକଟରେ ଦ୍ୱାରସ୍ଥ ହୋଇଥିଲେ ଦୀପିକା। କିନ୍ତୁ ତାଙ୍କ ସ୍ୱାମୀ ଦିନେଶ ଆସିନଥିଲେ। ଏବେ ପୁଣି ଥରେ ଦୀପିକା ମହିଳା କମିଶନଙ୍କ ନିକଟରେ ହାଜର ହୋଇଛନ୍ତି।
ସୂଚନାଯୋଗ୍ୟ, ବ୍ରହ୍ମପୁର ସହରର ଅଙ୍କୁଲି ଅଞ୍ଚଳର ଦୀପିକା ୨୦୨୦-୨୧ ମସିହାରେ ଦେଶୀ ବେହେରା ସାହିର ଦୀନେଶଙ୍କ ସହ ପ୍ରେମସମ୍ପର୍କ ସ୍ଥାପନ ହୋଇଥିଲା। ପରେ ଦୀପିକା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଶିଶୁ ଜନ୍ମ ହେବାପରେ ଦୀନେଶ ତାଙ୍କୁ ବିବାହ କରିବାକୁ ଅରାଜି ହୋଇଥିଲେ। ନିଜକୁ ନ୍ୟାୟ ମିଳିବା ପାଇଁ ସେ ନିଜେ ଶାଶୁ ଘର ଆଗରେ ଅଡି ବସିଛନ୍ତି। ନିଜ ପୁଅକୁ ବାପାର ପରିଚୟ ଦରକାର ବୋଲି ସେ ଦୀର୍ଘଦିନ ଧରି ସଂଘର୍ଷ ଜାରି ରଖିଛନ୍ତି। ଏବଂ ଶାଶୁ ଘର ନିକଟରେ ଧାରଣା ଦେଇଛନ୍ତି। ସେ ନିଜ ଶାଶୁ ଘର ସାମ୍ନାରେ ଏକ ଜରି ପାଲ ଟାଙ୍ଗି ରହୁଛନ୍ତି। ଏନେଇ ଶାଶୁଘର ଲୋକେ ଜରିପାଲ ଚିରି ଦେଇଥିବାରୁ କିଛି ଦିନ ପୂର୍ବେ ଗଣ୍ଡଗୋଳ ହୋଇଥିଲା। ଏପରିକି ଦୀନେଶଙ୍କ ମା’ ଦୀପିକାଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ ମାରିଥିବା ଅଭିଯୋଗ ଆଣି ଦୀପିକା ବ୍ରହ୍ମପୁର ବଡବଜାର ଥାନାରେ ଏତଲା ଦେଇଥିଲେ।