ଅର୍ଗସ ବ୍ୟୁରୋ : ପୁରୁଣା ଥାଉଥାଉ ନୂଆଙ୍କୁ ଗୋଟାଉଛି ବିଜେଡି । ଖାଲି ଗୋଟାଉଛି ତାହା ନୁହେଁ ବରଂ ଟିକଟ ବି ଦେଉଛି । ସେଇଥି ଲାଗି ତ ଏବେ କେନ୍ଦ୍ରାପଡା ବିଜେଡିରେ ଦେଖାଗଲାଣି କେଁ । କାରଣ ସଜସଜ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିବା ଗଣେଶ୍ଵରଙ୍କୁ କାଳେ ଶଙ୍ଖ ଦଳ ଟିକଟ ଦେଉଛି । ସେଇଥି ଲାଗି ତ ଗ୍ରାଉଣ୍ଡରେ ଏବେଠୁ ଜୋରଦାର କରାଗଲାଣି ବିରୋଧ ।
କଂଗ୍ରେସରୁ ଗଣେଶ୍ୱର ବେହେରା ବିଜେଡିରେ ମିଶିବା ପରେ ମୂଳ ବିଜେଡି ନେତାଙ୍କ ଭିତରେ ପ୍ରବଳ ଅସନ୍ତୋଷ । କଂଗ୍ରେସ ନେତା ଗଣେଶ୍ବର ବେହେରାଙ୍କ ବିଜେଡିରେ ମିଶ୍ରଣକୁ ସମଗ୍ର ନିର୍ବାଚନ ମଣ୍ଡଳୀରେ ବିରୋଧ କରୁଛନ୍ତି ବିଜେଡି ନେତା ଓ କର୍ମୀ । ଯାହା ଦଳ ଓ ସୁପ୍ରିମୋଙ୍କ ପାଇଁ ସାଜିଲାଣି କାଳ । ଦୀର୍ଘ ଦିନ ଧରି ଯେଉଁ ନେତାମାନେ ସଂଗଠନ କରି ଲୋକଙ୍କ ସୁଖ ଦୁଃଖରେ ରହିଆସିଛନ୍ତି, ସେମାନଙ୍କୁ ଅଣଦେଖା କରି ଗଣେଶ୍ବରଙ୍କ ଭଳି ଆମଦାନୀ ନେତାଙ୍କୁ ଟିକେଟ ଦେଲେ ଆଗାମୀ ଦିନରେ ବିଜେଡିରେ ବିଦ୍ରୋହ ଦେଖାଦେବ ବୋଲି କର୍ମୀମାନେ ଖୋଲାଖୋଲି ଆହ୍ବାନ ଦେଇଛନ୍ତି ।
ପଟ୍ଟାମୁଣ୍ଡାଇ ବଲୁରିଆ ପଞ୍ଚାୟତର ସିଧବାଲି ଗାଁ ଛକରେ ଗଣେଶ୍ୱର ବେହେରାଙ୍କୁ ବିରୋଧ କରାଯାଇଛି । କର୍ମୀମାନେ ଆମଦାନୀ ନେତା ହଟାଅ, ଗଣେଶ୍ବର ବେହେରା ଗୋ ବ୍ୟାକ ଆଦି ନାରା ମଧ୍ୟ ଦେଇଥିଲେ । ନିଜ ଦଳରେ ନେତା ଥାଉଥାଉ ଗତଥର ଶଶୀଭୁଷଣ ବେହେରାଙ୍କୁ ଟିକେଟ ଦିଆଗଲା । ଚଳିତ ଥର ମଧ୍ୟ ଯେଉଁନେତା ତାଙ୍କ ଜୀବନ ସାରା ବିଜୁବାବୁ ଓ ନବୀନଙ୍କୁ ଗାଳିକରି ଆସୁଛନ୍ତି ତାଙ୍କୁ କେମିତି ସାଧାରଣ କର୍ମୀ ଗ୍ରହଣ କରିବେ ବୋଲି ପ୍ରଶ୍ନ ଉଠିଛି ।
କଂଗ୍ରେସ ନେତା ଗଣେଶ୍ୱର ବେହେରା ଏପ୍ରିଲ ୭ ତାରିଖ ଦିନ ବିଜେଡିରେ ଅନୁଷ୍ଠାନିକ ଭାବେ ଯୋଗଦେଇଥିଲେ । ମାତ୍ର ତାଙ୍କର ଏଇ ଯୋଗଦାନକୁ ପଟ୍ଟାମୁଣ୍ଡାଇ ସିଧବାଲିରେ ବିରୋଧ କରାଯାଇଛି । କର୍ମୀ ମାନେ ଆମଦାନୀ ନେତା ହଟାଅ, ଗଣେଶ ବେହେରା ଗୋ ବ୍ୟାକ ଆଦି ନାରା ମଧ୍ୟ ଦେଇଥିଲେ । ଆଗାମୀ ଦିନରେ କଣ ଘଟିବ ସମସ୍ତଙ୍କ ନଜର ତାହାରି ଉପରେ ରହିଛି ।