୧୯୪୨ ମସିହାରେ ସେପ୍ଟେମ୍ବର ୨୮ ତାରିଖ । ତା ପାଇଁ ଥିଲା କାଳ ଦିନଟିଏ । ଯେଉଁଦିନ ସେ ଦେଖିଥିଲା, ରକ୍ତାକ୍ତ ମାଟିକୁ । ଗଛ ବୋଲି କାନ୍ଦି ପାରି ନଥିଲା କିନ୍ତୁ ସେଦିନର ସତକୁ ସେ ଛାତିରେ ଲୁଚେଇ ରଖିଥିଲା ସବୁଦିନ ପାଇଁ । କାରଣ ସେ ଜାଣିଥିଲା ସେ ମାଟିର ଅବଦନାକୁ ଦେଶବାସୀ ଦିନେ ମଥାପାତି ଗ୍ରହଣ କରିବେ । ଗ୍ରହଣ କରିବେ ଭଦ୍ରକ ଜିଲ୍ଲାର ଇରମର ଅବଦାନକୁ ।
ଭଦ୍ରକ ଜିଲ୍ଲାର ଇରମ । ଭାରତୀୟ ସ୍ୱାଧୀନତା ସଂଗ୍ରାମ ଇତିହାସରେ ଏ ମାଟିର ରହିଛି ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ । ପ୍ରାକୃତିକ ଗୋପନୀୟତା ଦୃଷ୍ଟିରୁ ଏହି ସ୍ଥାନଟିକୁ ଫିରିଙ୍ଗି ପୁଲିସ ଓ ପ୍ରଶାସନର ପ୍ରବେଶ କଷ୍ଟ ଥିଲା ।
ମହାତ୍ମା ଗାନ୍ଧୀଙ୍କର ଭାରତ ଛାଡ଼ ଆନ୍ଦୋଳନକୁ ସମର୍ଥନ ଜଣାଇ ସ୍ୱାଧୀନତା ସଂଗ୍ରାମୀମାନେ ୧୯୪୨ ମସିହାରେ ସେପ୍ଟେମ୍ବର ୨୮ ତାରିଖ ଦିନ ଇରମଠାରେ ଥିବା 'ମେଳା ଆମ୍ବ ଗଛ' ମୂଳେ ଏକାଠି ହୋଇଥିଲେ । ସମ୍ପୁର୍ଣ୍ଣ ଅହିଂସା ଭାବେ ନିଜର ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ଚାଲିଥିଲା । ଏହି ସମୟରେ ଅଚାନକ ଭାବରେ ବାସୁଦେବପୁର ଥାନାର ଇଂରେଜ ପୁଲିସ ଡି.ଏସ.ପି. କୁଞ୍ଜବିହାରୀ ମହାନ୍ତିଙ୍କ ନେତୃତ୍ୱରେ ଏକ ଦଳ ପହଞ୍ଚି ଅତର୍କିତ ଭାବରେ ଗୁଳିଚାଳନା କରନ୍ତି ।
ସନ୍ଧ୍ୟା ସମୟରେ ଘଟିଥିଲା ଏହି ବିବତ୍ସା କାଣ୍ଡ। ଘଟଣାସ୍ଥଳରେ ୨୮ ଜଣ ସ୍ୱାଧୀନତା ସଂଗ୍ରାମୀ ପ୍ରାଣ ହରାଇଥିଲେ । ୫୬ ଜଣ ଗୁରୁତର ଭାବରେ ଆହତ ହୋଇଥିଲେ । ଆହତମାନଙ୍କ ମଧ୍ୟରୁ ଜଣେ ପରବର୍ତ୍ତୀ ସମୟରେ ପ୍ରାଣ ବି ହରାଇଥିଲେ । ସମୁଦାୟ ମୃତ୍ୟୁ ସଂଖ୍ୟା ହୋଇଥିଲା ୨୯। ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ପରି ବେୱା ନାମରେ ଜଣେ ମହିଳା ବି ଥିଲେ । ଯିଏ କି ଆମ ଓଡ଼ିଶା ଇତିହାସରେ ଏକମାତ୍ର ମହିଳା ସହିଦ ସ୍ୱାଧୀନତା ସଂଗ୍ରାମୀ ।
ଘଟଣା ପରଠାରୁ ଭାରତର ୨ୟ ଜାଲିଆନାୱାଲାବାଗ ନାମରେ ସଗର୍ବେ ଛିଡା ହୋଇଛି ରକ୍ତତୀର୍ଥ ଇରମ୍ । ଆଜି ସହିଦ୍ ଦିବସରେ ମାଟି ପାଇଁ ପ୍ରାଣବଳୀ ଦେଇଥିବା ସମସ୍ତ ସଂଗ୍ରାମୀଙ୍କୁ ଆମର ଭକ୍ତପୂତ ଶ୍ରଦ୍ଧାଞ୍ଜଳି ।
କିଏ ହୋଇଥିଲେ ସହିଦ୍ :
୧ - ପରି ବେୱା, ଇରମ, ବାସୁଦେବପୁର
୨ - ଗୋପାଳ ଚନ୍ଦ୍ର ଦାସ, ପଢୁଆଁ
୩ - ବିଶ୍ୱନାଥ ଦାସ, ପଢୁଆଁ
୪ - ବିଜୁଳି ଦାସ, ପଢୁଆଁ
୫ - ହୃଷିକେଷ ବେହେରା, ପଢୁଆଁ
୬ - ମଦନ ପଲାଇ, ପଢୁଆଁ
୭ - ବଲ୍ଲଭ ବେହେରା, ପଢୁଆଁ
୮ - ମାଘ ମାହାଳିକ, ପଢୁଆଁ
୯ - ଭୁଆ ମାଝି, ପଢୁଆଁ
୧୦ - କାଳୀ ମାଝି, ପଢୁଆଁ-କୁମାରପୁର
୧୧ - ରାଧୁ ମାହାଳିକ, ପଢୁଆଁ- ମୂଳଡିହୀ
୧୨ - ଧ୍ରୁବ ଚରଣ ଦେ, ପଢୁଆଁ
୧୩ - ବାସୁଦେବ ସାହୁ, ପଢୁଆଁ
୧୪ - ହରି ବେହେରା, ପଢୁଆଁ
୧୫ - ଦିବାକର ପାଣିଗ୍ରାହୀ, ଗୁଡ, କେଶଗଡିଆ
୧୬ - କୃଷ୍ଣଚନ୍ଦ୍ର ସ୍ୱାଇଁ, ପଢୁଆଁ-କୁମାରପୁର
୧୭ - ଭବନ ରାଉତ, ପଢୁଆଁ- ନନ୍ଦପୁର
୧୮ - ନିଧି ମାହାଳିକ, ପଢୁଆଁ
୧୯ - ବୃନ୍ଦାବନ ପଣ୍ଡା, ପଢୁଆଁ
୨୦ - ଉପ ମଲ୍ଲିକ, ନୂଆ ଗାଁ
୨୧ - କୃପାସିନ୍ଧୁ ବେହେରା, ଶଂଖାରୁ
୨୨ - ରାମ ମାଝି, ପଢୁଆଁ-କୁମାରପୁର
୨୩ - ମଣି ବେହେରା, ପଢୁଆଁ
୨୪ - କତି ସାହୁ, ଈଶ୍ୱରପୁର
୨୫ - ରତ୍ନାକର ପାଣି, ସୁଦର୍ଶନପୁର
୨୬ - ମଣି ପ୍ରଧାନ, ସୁଆଣ-ସୁଦର୍ଶନପୁର
୨୭ - ପରି ଦାସ, ସୁଆଣ
୨୮ - ଶଙ୍କର ମଲ୍ଲିକ, ଅଧୁଆଁ
୨୯ - ଗୋବିନ୍ଦ ରାଉତ, ଆର୍ତୁଗାଁ