ରାଜ୍ୟ ସରକାରଙ୍କ ଅପାରଗତା ଓ ଅବହେଳା ଯୋଗୁଁ ଇତିହାସ ପାଲଟିଲା ବରଗଡ଼ ଚିନିକଳ। ଏଥିସହ ଏହା ଉପରେ ନିର୍ଭରଶୀଳ ଶହ ଶହ ଲୋକଙ୍କର ଜୀବିକାର ହେଲା ମୃତ୍ୟୁ। ଏବେ କିନ୍ତୁ ଆଗକୁ ନିର୍ବାଚନ ଥିବାରୁ ଏ ଶିଳ୍ପର ଶବ ଉପରେ ନୂତନ ଶିଳ୍ପର ଥୋପ ଦେଇଛନ୍ତି ରାଜ୍ୟସରକାର । ବରଗଡ଼ବାସୀ ଓ ବକେୟା ଦରମା ପାଇଁ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରତ ଚିନିକଳର କର୍ମଚାରୀଙ୍କୁ ଭୁତେଇବାକୁ ଚେଷ୍ଟା କରିଛନ୍ତି । ବରଗଡ଼ ଚିନକଳର ଜମିକୁ ଇଡକୋକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।
ଚିନିକଳର ମୋଟ ୧୦୩.୨୧ ଏକର ଜମିରୁ ବିବାଦମୁକ୍ତ ୭୨.୧୨ ଏକର ଜମି ପାଇଁ ଇଡକୋ ୪୦.୬୮ କୋଟି ଟଙ୍କା ପ୍ରଦାନ କରିଛି । ବରଗଡ଼ର ଅତିରିକ୍ତ ଜିଲ୍ଲାପାଳ ତଥା ବରଗଡ଼ କୋଅପରେଟିଭ ସୁଗାର ମିଲ୍ସର Liquidatorଙ୍କୁ ଏହି ଟଙ୍କା ପ୍ରଦାନ କରାଯାଇଛି । ବାକି ସବୁ ଜମି ବିବାଦମୁକ୍ତ ହେବାପରେ ଇଡକୋକୁ ହସ୍ତାନ୍ତର କରାଯିବ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସୂଚନା ଅନୁସାରେ ଆଗାମୀ ଦିନରେ ଇଡକୋ ଏହି ଜମିରେ ନୂତନ ଶିଳ୍ପ ପ୍ରତିଷ୍ଠା ପାଇଁ ପଦକ୍ଷେପ ନେବ ।
ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲାରେ ଏକଦା ଥିଲା ଅନେକ କ୍ଷୁଦ୍ର, ମଧ୍ୟମ ଓ ବୃହତ୍ ଶିଳ୍ପ। ସୂତାକାଳ , ସାର କାରଖାନା, ଚିନି କଳ ସହିତ ଶତାଧିକ ଧାନମିଲ୍ ଥିବା ବରଗଡ ଜିଲ୍ଲା ଧୀରେ ଧୀରେ ଶିଳ୍ପ ବିହୀନ ହେବାରେ ଲାଗିଛି | ହଜାର ହଜାର ସଂଖ୍ୟାରେ ଶ୍ରମିକ କାମ କରୁଥିବା ସୂତା କଳ ସଂପୂର୍ଣ୍ଣ ବନ୍ଦ ହେବା ପରେ ସାର କାରଖାନାରେ ତାଲା ପଡ଼ିଲା, ଆଉ ତା ପରେ ଏହାପରେ ଆଖୁଚାଷୀଙ୍କ ରୋଜଗାରର ମାଧ୍ୟମ ସାଜିଥିବା ଚିନିକଳ ବି ସଂପୂର୍ଣ୍ଣ ବନ୍ଦ ହୋଇଗଲା।
2017 ମସିହାରୁ ବନ୍ଦ ହୋଇପଡିଥିବା ଚିନିକଳର 149 ଜଣ କର୍ମଚାରୀଙ୍କୁ ଆଜି ଯାଏଁ ସେମାନଙ୍କ ବକେୟା ଦରମା ଦିଆଯାଇନାହିଁ। ଏଥିପାଇଁ କର୍ମଚାରୀ ବାରମ୍ବାର ଆନ୍ଦୋଳନ କରିବା ସତ୍ବେ ଏଠାକାର ପ୍ରଶାସନଠାରୁ ଆରମ୍ଭ କରି ଜିଲ୍ଲାରୁ ପ୍ରତିନିଧିତ୍ବ କରୁଥିବା ମନ୍ତ୍ରୀ ଓ ଶାସକ ଦଳର ନେତା କେହି ଏଥିପ୍ରତି ଧ୍ୟାନ ଦେଉନାହାନ୍ତି।
ଆହୁରି ପଢନ୍ତୁ ଓଡିଶା ଖବର...