
ନୂଆପଡା: ଶ୍ରମିକ ହାତକୁ କାମ ଦେଇ ସେମାନଙ୍କ ଆର୍ଥିକ ମେରୁଦଣ୍ଡକୁ ମଜଭୁତ କରିବା ଉଦେଶ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାର ଶ୍ରମିକମାନଙ୍କ ପାଇଁ ଅନେକ ଯୋଜନା ପ୍ରସ୍ତୁତ କରୁଛନ୍ତି । ଏହି ଯୋଜନା ମଧ୍ୟରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ଶ୍ରମିକଙ୍କୁ ୧୦୦ ଦିନର କାର୍ଯ୍ୟ ପ୍ରଦାନ ସହ କାର୍ଯ୍ୟରତ ଶ୍ରମିକଙ୍କୁ ସପ୍ତାହକ ମଧ୍ୟରେ ପ୍ରାପ୍ୟ ପ୍ରଦାନ ବ୍ୟବସ୍ଥା ରହିଛି । କିନ୍ତୁ ଏହି ଯୋଜନାରେ ଶ୍ରମିକ ସାମିଲ ହୋଇ କାର୍ଯ୍ୟ କରୁଥିଲେ ମଧ୍ୟ ନିଜ ପ୍ରାପ୍ୟ ପାଇଁ ବର୍ଷ ସାରା ପ୍ରଶାସନ ନିକଟକୁ ଦୌଡ଼ି ଦୌଡ଼ି ଶେଷରେ ନିଜ ପ୍ରାପ୍ୟ ନ ପାଇ ନିରାଶ ହୋଇ ସମସ୍ୟାରେ ପଡିରହୁଛନ୍ତି ଶ୍ରମିକ ।

ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକର ବିରିଘାଟ ପଞ୍ଚାୟତରେ ଶତାଧିକ ଶ୍ରମିକ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନାରେ କାର୍ଯ୍ୟକରି ବର୍ଷେ ହେଲା ପ୍ରାପ୍ୟ ପାଇନଥିବାରୁ ନିଜ ପ୍ରାପ୍ୟ ଶୀଘ୍ର ପ୍ରଦାନ ଦାବିନେଇ ଟୋକେଇ ଓ କୁରାଡି ଧରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବସିରହିଥିଲେ । କାର୍ଯ୍ୟ କରିବା ପରେ ଶ୍ରମିକଙ୍କୁ ପ୍ରାପ୍ୟ ପ୍ରଦାନ ବଦଳରେ ଦେଢ଼ ବର୍ଷ ହେଲା ସେମାନଙ୍କୁ ପ୍ରାପ୍ୟ ପ୍ରଦାନ କରାଯାଉ ନ ଥିବା ଓ ପ୍ରାପ୍ୟମାଗିଲେ ଦିନ ପରେ ଦିନ ଗଡାଉଥିବା ଶ୍ରମିକ ମାନେ ଅଭିଯୋଗ କରିଥିଲେ । ବିରିଘାଟ ପଂଚାୟତର କୁଶମାଲ ଗାଁରୁ ଖଇରପଦର ଗାଁକୁ ଓ ଧିଙ୍ଗିଆମୁଣ୍ଡା ଗାଁକୁ ରାସ୍ତା କାର୍ଯ୍ୟ ପାଇଁ ମହାତ୍ମାଗାନ୍ଧୀ ଜାତୀୟଗ୍ରାମୀଣ ନିଶ୍ଚିନ୍ତ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ ୨୦୧୮-୧୯ ଆର୍ଥିକ ବର୍ଷରେ ପୃଥକ ପୃଥକ ଭାବେ ୫ ଲକ୍ଷ ଟଙ୍କା ଲେଖାଏଁ ମଞ୍ଜୁର ହେବାସହ ରାସ୍ତା କାର୍ଯ୍ୟ ହୋଇଥିଲା।

ଏହି କାର୍ଯ୍ୟରେ କୁଶମାଲ ଗ୍ରାମର ଶତାଧିକ ଶ୍ରମିକ କାର୍ଯ୍ୟ କରିଥିଲେ । ଶ୍ରମିକଙ୍କୁ ସପ୍ତାହକ ମଧ୍ୟରେ ତାଙ୍କ ପ୍ରାପ୍ୟ ପ୍ରଦାନ ବଦଳରେ ଆଜି ଯାଏଁ ପ୍ରାପ୍ୟ ଦିଆଯାଇନଥିବା ଶ୍ରମିକ ଅଭିଯୋଗ କରିଛି । ଏହି କାର୍ଯ୍ୟରେ ଜଣେ ଜଣେ ଶ୍ରମିକ ୧୦ ହଜାରରୁ ଅଧିକ ପ୍ରାପ୍ୟ ପାଇବାକୁ ଥିବାବେଳେ ପ୍ରାପ୍ୟ ନ ପାଇକି ଶ୍ରମିକ ଆର୍ଥିକ ସମସ୍ୟାରେ ପଡି ରାଜ୍ୟ ବାହାରକୁ ରୋଜଗାର ପାଇଁ ପରିବାର ଧରି ଚାଲି ଯାଇଥିବାବେଳେ କିଛି ଶ୍ରମିକରୋଗରେ ପଡି ମୃତ୍ୟୁ ବରଣ କରିସାରିଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି ।ଶ୍ରମିକଙ୍କ ଦାବି ପରେ BDO ପୁଣି ସପ୍ତାହକର ସମୟ ନେଇ ଶ୍ରମିକଙ୍କୁ ତାଙ୍କ ପ୍ରାପ୍ୟ ମିଳିଯିବାର ପ୍ରତିଶୃତି ଦେବା ପରେ ଶ୍ରମିକ ସେହି ସପ୍ତାହକୁ ଅପେକ୍ଷା କରିଛନ୍ତି ।
