୩ ରଥର ସମଗ୍ର ଚକ ସଂଖ୍ୟା ୪୨। ଜଗନ୍ନାଥଙ୍କ ରଥର ୧୬, ସୁଭଦ୍ରାଙ୍କ ରଥର ୧୨ ଏବଂ ବଡ଼ ଠାକୁର ବଳଭଦ୍ରଙ୍କ ରଥର ଚକସଂଖ୍ୟା ୧୪। ଏହାକୁ ନିର୍ମାଣ କରିବାକୁ ଭୋଇ ସେବକମାନେ ରଥଦାଣ୍ଡରେ ଏକ ଗାଡ ଖୋଳନ୍ତି। ଯେଉଁଥିରେ ଚକ ନିର୍ମାଣ ହୁଏ।
ସେହି ଗାଡରେ, ବଳିଷ୍ଠ ହାତରେ ସିଙ୍ଘଡା ବାଡାନ୍ତି ଭୋଇ ସର୍ଦ୍ଧାର। ଗୋଟିଏ ପାହାର ପଡିବା ପରେ ସନ୍ତୁଳନା ରକ୍ଷା କରିବାକୁ କାଠର ବିଶାଳ ମାର୍ତ୍ତୃଲ ଆକୃତିର ସରଞ୍ଜାମକୁ କିଛି ସମୟ ଧରି ରଖୁଛନ୍ତି ଅନ୍ୟ ଭୋଇ ସେବକମାନେ। ବଡଦାଣ୍ଡରେ ଏ ଦୃଶ୍ୟ ଦେଖି ରାସ୍ତାରେ ଯାଉଥିବା ଲୋକେ କିଛି ସମୟ ଅଟକି ଯାଆନ୍ତି। ରଥଯାତ୍ରା ପୂର୍ବରୁ ଏ ଦୃଶ୍ୟ ସ୍ବଳ୍ପକାଳନୀକ। ଯାହାକୁ ସ୍ଥାନୀୟ ଭାଷାରେ କୁହାଯାଏ ସିଙ୍ଘଡା ବାଡିଆ।
୪୨ ଚକ ପାଇଁ ବାଡିଆ ହେଉଛି ଅର। ଆଉ ଏହି କାର୍ଯ୍ୟ ପାଇଁ ବଡ଼ ଦାଣ୍ଡର ଏକ ନିଦ୍ଧିଷ୍ଟ ସ୍ଥାନରେ ଗର୍ତ୍ତଟିଏ ରହିଛି। ଯେଉଁ ଗର୍ତ୍ତ ବର୍ଷ ତମାମ ମାଟି ଭର୍ତ୍ତି ହୋଇ ରହିଥାଏ। ରଥଖଳା ସଂଲଗ୍ନ ଏହି ସ୍ଥାନଟିକୁ କୁହାଯାଏ ଯନ୍ତ୍ରାଗାଡ। ମହାପ୍ରଭୁଙ୍କ ୩ ରଥ ପାଇଁ ଯେଉଁ ୪୨ ଗୋଟି ଚକ ପ୍ରସ୍ତୁତ କରାଯାଏ, ତାହା ଏହିଠାରେ ହିଁ ପ୍ରସ୍ତୁତ ହୋଇଥାଏ। ଚକାକୁ ବାନ୍ଧି ରଖିବାକୁ ତୁମ୍ବରେ ଯେଉଁ ବିଶାଳ ବିନ୍ଧ କରାଯାଇଥାଏ ତାହାକୁ ଅରବିନ୍ଧ ବୋଲି କୁହନ୍ତି। ଏହି ତୁମ୍ବକୁ ଗର୍ତ୍ତ ମଧ୍ୟରେ ରଖି ବୁଲାଯାଏ। ଏବଂ ତୁମ୍ବରେ ଥିବା ବିନ୍ଧଗୁଡିକରେ ରଥର ଅର ବା ସ୍ପୋକଗୁଡିକୁ ଧରି ରଖିବା ପାଇଁ ଯୋର କରି ପିଟା ଯାଇଥାଏ। ପରବର୍ତ୍ତି ସମୟରେ ଏହାରି ଉପର ଚକର ବାହ୍ୟ ଅଂଶ ବା ପହି ସଂଯୋଗ କରାଯାଏ। ଏବଂ ଶେଷରେ ଲୁହା ବଳା ଘେରାଇ ଚକକୁ ସୁଦୃଢ କରାଯାଏ।