ଅର୍ଗସ ବ୍ୟୁରୋ : ଜଙ୍ଗଲ ଆମର ପ୍ରମୁଖ ସଂପଦ, ଆଦିବାସୀ ଅର୍ଥନିତୀର ମୁଖ୍ୟ ଶ୍ରୋତ । ମାତ୍ର ଜଙ୍ଗଲ ମାଫିଆ ସକ୍ରିୟ । ଏ ଦୃଶ୍ୟ ହେଉଛି ମାଲକାନଗିରି ଜିଲ୍ଲା ବାଲିମେଳା ଫରେଷ୍ଟ ରେଞ୍ଜର । ନାକାମାମୁଡ଼ି ଠାରୁ ନାରିଂଝୋଲା ଗାଁକୁ ଯାଉଥିବା ରାସ୍ତା ଆଉ ଦେଖନ୍ତୁ ରାସ୍ତା କଡରେ କେମିତି ପଡିଛି ହଜାର ହଜାର କାଠ ଵଲା । ଆଉ ଏଇ ସବୁ କାଠ ବଲା ଆସିଛି ଏଇ ଜଙ୍ଗଲରୁ । ବାଲିମେଳା ଫରେଷ୍ଟ ରେଞ୍ଜରେ ରହିଛି ବାଉଁଶ , ଶିଶୁ , ବିଜା , ସାହାଯ ଓ ଧଉଡା ଭଳି ମୂଲ୍ୟବାନ ଗଛ ସହ ଅଁଳା ଓ ବାହାଡ଼ା ଭଳି ଅନେକ ଔଷଧୀୟ ବୃକ୍ଷ । କିନ୍ତୁ ଗଛ କାଟି ଜଙ୍ଗଲ ସଫା କରିଚାଲିଛନ୍ତି ମାଫିଆ । ବେଧଡକ ଚାଲାଣ ହେଉଛି ଅନ୍ୟ ରାଜ୍ୟକୁ । ସବୁ ଦେଖି ବି ଚୁପ୍ ବନ ବିଭାଗ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଜଙ୍ଗଲ ସୁରକ୍ଷା ପାଇଁ ରାଜ୍ୟ ସ୍ତରୀୟ ପୁରସ୍କାର ପାଇଛନ୍ତି ଏହି ଅଂଚଳର ଫରେଷ୍ଟର ସିବାନନ୍ଦ ଲେଙ୍କା । କିନ୍ତୁ ନିଜ ଅଞ୍ଚଳ ଜଙ୍ଗଲକୁ ବି ଦେଇପାରୁନାହାନ୍ତି ସୁରକ୍ଷା ।
କାହା ସୁରକ୍ଷାରେ ଜଙ୍ଗଲ ଦସ୍ୟୁ, ଜଙ୍ଗଲ ସଫା ହେଇଚାଲିଥିବା ବେଳେ କଣ କରୁଛି ବନ ବିଭାଗ, କାହିଁକି ଚୁପ୍ ବସିଛନ୍ତି ଡିଏଫ୍ଓ, ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ୍ ଜାଣିଛନ୍ତି ନା ନାହିଁ, ଏମିତି ଚାଲିଛି ବନ ବିଭାଗର ରିଭ୍ୟୁ ନା ପିସି ଖାଇ ସବୁ ଚୂପ୍, ଆଦିବାସୀଙ୍କ ଜୀବନ ଜିବୀକାକୁ ପ୍ରଭାବିତ କରୁଥିବା ଖଳନାୟକ ସହିତ ମିଶିଛି କିଏ, ଜଙ୍ଗଲ ସଫା ଦୃଶ୍ୟ ସାମ୍ନାକୁ ଆସିବା ପରେ ଏବେ ଡିଏଫଓ କହୁଛନ୍ତି ତଦନ୍ତ ହେବ ।
ଗତ 5 ବର୍ଷରେ ରାଜ୍ୟର ବିଭିନ୍ନ ବନଖଣ୍ଡରେ ମୋଟ 55 ହଜାର 412ଟି ଜଙ୍ଗଲ ଅପରାଧ ମାମଲା ରୁଜ୍ଜୁ ହୋଇଛି। ଏଇ ସବୁ ଅପରାଧରେ 50 ହଜାରରୁ ଅଧିକ ଅପରାଧୀ ସଂପୃକ୍ତି ଅଛନ୍ତି । ହେଲେ ବୀରପ୍ପାନମାନଙ୍କ ପାଖରେ ପହଞ୍ଚିପାରୁନି ବନ ବିଭାଗ । ଯାହାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି । ବିବାଦ ଘେରକୁ ଆସିଛନ୍ତି ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।
ଆହୁରି ଅଧିକ ଓଡିଶା ଖବର ପଢନ୍ତୁ...