ଆଉ ଦିନ କେଇଟା ପରେ ଗଣତନ୍ତ୍ରର ମହାନ ପର୍ବ ନିର୍ବାଚନ । ନିର୍ବାଚନକୁ ନେଇ ସମସ୍ତ ପ୍ରସ୍ତୁତି ଚୂଡାନ୍ତରେ । ହେଲେ ପଶ୍ଚିମ ଓଡ଼ିଶାର ଦାଦନ ଶ୍ରମିକ ମାନଙ୍କ ପ୍ରତି ସତେ ଯେମିତି କାହାର ନିଘା ନାହିଁ । ଦାଦନ ପ୍ରବଣ ଶିଳ୍ପ ବିହୀନ ନୂଆପଡ଼ା ଜିଲ୍ଲାରେ ପେଟ ପାଟଣା ପାଇଁ ଲୋକେ ରାଜ୍ୟ ବାହାରକୁ ଯାଇଛନ୍ତି ।
ନୂଆପଡ଼ା ସଦର ବ୍ଲକ ଟାନୱାଟ ପଞ୍ଚାୟତ ଲୁକୁପାଲି ଗାଁର ଏ ହେଉଛନ୍ତି ବଳରାମ ରାଉତ । କାମ ଅନ୍ୱେଷଣରେ ନିଜ ସ୍ତ୍ରୀ ରୂପକାନ୍ତିଙ୍କ ସହ ଯାଇଛନ୍ତି ବାହାର ରାଜ୍ୟ । ଏପଟେ ଘର ଯଗିଛନ୍ତି ପୁଅଝିଅ । ଚଳିତ ସାଧାରଣ ନିର୍ବାଚନରେ ନିଜ ମତାଧିକାର ସାବ୍ୟସ୍ତ କରିପାରିବେନି ବଳରାମ ।
ଇଏ ତ ଗୋଟିଏ ଜିଲ୍ଲାର କଥା ବଲାଙ୍ଗୀର ଜିଲ୍ଲାର ଦାଦନ ପ୍ରବଣ ବ୍ଲକ ଗୁଡିକରୁ ହଜାର ହଜାର ଭୋଟର ଏବେ ବାହାର ରାଜ୍ୟର ଇଟାଭାଟିରେ କାମ କରୁଛନ୍ତି । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଲୁକାପଡା ଗାଁର ନିରାକାର ମାଝୀ ଓ ତାଙ୍କ ସ୍ତ୍ରୀ ବାହାର ରାଜ୍ୟକୁ କାମ କରିବା ପାଇଁ ଯାଇଛନ୍ତି । ସେହିପରି ସଦାନନ୍ଦ ମାଝୀ ନିଜ ସ୍ତ୍ରୀ, ୪ ପୁଅ ଝିଅଙ୍କୁ ନେଇ ଆନ୍ଧ୍ରପ୍ରଦେଶରେ ।
ଦେବ ମାଝୀ ଓ ତାଙ୍କ ସ୍ତ୍ରୀ ପରିବାର ବର୍ଗଙ୍କୁ ନେଇ ତାମିଲନାଡୁର ଏକ ଇଟାଭାଟିରେ କାମ କରୁଥିବା କହିଛନ୍ତି ଗ୍ରାମବାସୀ । କେବଳ ଏହି ଗୋଟିଏ ଗାଁରୁ ପ୍ରାୟ ୩୦ ରୁ ୪୦ ପରିବାର ଯାଇଛନ୍ତି ଦାଦନ । ସବୁ ଘରେ ଏବେ ତାଲା ଝୁଲୁଛି। ବରଗଡ଼, ସୋନପୁର ଜିଲ୍ଲାରେ ମଧ୍ୟ ସମାନ କାହାଣୀ ।୨୪ ବର୍ଷର ସରକାର ରାଜ୍ୟର ପ୍ରମୁଖ ସମସ୍ୟା ଦୂର କରିବାରେ ଫେଲ । ଅନ୍ତତଃ ଭୋଟ ବେଳେ ଦାଦନ ଶ୍ରମିକଙ୍କୁ ରାଜ୍ୟକୁ ଫେରାଇ ଆଣିବେ କି ରାଜ୍ୟ ସରକାର ?