ଅନୁଗୁଳ: ସରକାରୀ ସହାୟତା ସାତ ସପନ । ଯୁବକ ଅବସ୍ଥାରେ ଅଜଣା ରୋଗରେ ପୀଡିତ ହୋଇ କାଳ କାଟୁଛନ୍ତି ପାଲଲହଡ଼ାର ଅନାମ । ଚିକିତ୍ସା ପାଇଁ ନା ମିଳୁଛି ସହାୟତା ନା ଭତ୍ତା ।
ଅନୁଗୁଳ ପାଲଲହଡ଼ା ବ୍ଲକ ଖମାର ଥାନା ଅଧୀନରେ ରହିଛି ତାଳବାହାଳି ଗାଁ । ଏଠାରେ ରୁହନ୍ତି ଅନାମ କିସାନ । ଛୋଟ ବେଳୁ ଖବ୍ ଭଲ ପାଠ ପଢୁଥିଲେ ମଧ୍ୟ ସହାୟ ହୋଇନଥିଲା ଭାଗ୍ୟ । ଅଜଣା ରୋଗରେ ପୀଡିତ ହୋଇ ସେ ଏବେ ଶଯ୍ୟାଶାୟୀ । ଅର୍ଥ ଅଭାବରୁ ହୋଇପାରୁନି ଚିକିତ୍ସା । ବାପା ଅନ୍ୟତ୍ର ବିବାହ କରି ଥିବା ବେଳେ ରୋଗିଣା ପୁଅକୁ ଧରି ପଡିରହିଛନ୍ତି ଅନାମଙ୍କ ମାଆ । ବାରମ୍ବାର ଗୁହାରି ପରେ ମଧ୍ୟ ଅନାମଙ୍କୁ କୌଣସି ସରକାରୀ ସହାୟତା ମିଳି ନଥିବା ବେଳେ ସରକାରଙ୍କ ପକ୍ଷରୁ ତାଙ୍କୁ ଭତ୍ତା ମଧ୍ୟ ଆଜି ପର୍ଯ୍ୟନ୍ତ ଦିଆଯାଇ ନାହିଁ ।

ଅନ୍ୟପଟେ ପାଲଲହଡ଼ା ବିଧାୟକ, ବିଡିଓଙ୍କ ସହ ଆଲୋଚନା କରି ତୁରନ୍ତ ସହାୟତା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏବେ ଯାଏଁ ତାହା କାର୍ଯ୍ୟକାରୀ ହେଉଥିବା ଦେଖାଯାଇ ନାହିଁ ।

ରାଜ୍ୟ ସରକାର ଦୁଃଖୀ ଓ ଅସହାୟଙ୍କ ପାଇଁ ଅନେକ ଯୋଜନା କରିଥିଲେ ମଧ୍ୟ ତାହା ଅନାମଙ୍କ ପାଇଁ ପହଞ୍ଚି ପାରି ନାହିଁ । ଏହି ଗୋଟିଏ ଉଦାହରଣ ଦେଖିଲେ ସ୍ପଷ୍ଟ ବାରି ହୋଇପାଡ଼ୁଛି ଯେ, ରାଜ୍ୟ ସରକାରଙ୍କ ଯୋଜନା ଗୁଡ଼ିକ କିଭଳି ଲୋକଙ୍କ ପାଖରେ ପହଞ୍ଚୁଛି ।
