ଭଦ୍ରକ: ରାଜ୍ୟ ସାରା ନିର୍ବାଚନୀ ପ୍ରଚାର ମାହୋଲ । ଏହି ପରିପ୍ରେକ୍ଷୀରେ ବିଜେପିର ବିଜୟ ସଂକଳ୍ପ ସଭା ସଫଳତାର ସହ ଆଗେଇ ଚାଲିଛି । ବିଜୟ ସଂକଳ୍ପ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ରାଜ୍ୟ ସରକାରଙ୍କ ଅପାରଗତାକୁ ବଖାଣିବା ସହ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ତେବେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳିର ଦାମନବିନ୍ଧା ଓ ବାସୁଦେବପୁର ନିର୍ବାଚନ ମଣ୍ଡଳିର ରାଜଘର ପୋଖରୀ ଠାରେ ଆୟୋଜିତ ବିଜେପି ବିଜୟ ସଂକଳ୍ପ ସଭାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ବିଶାଳ ଜନସଭାରେ ମୋଦିଙ୍କ ଜନସମର୍ଥନର ଉତ୍ସାହ ଦେଖାଯାଇଛି । ଦିଲ୍ଲୀରେ ଦୃଢ ସରକାର କରିବାର ଅଟକାଇବାକୁ ନବୀନ ବାବୁ ଚାହୁଁଛନ୍ତି । ଘୋଟାଲାକାରୀ ମୁଖ୍ୟମନ୍ତ୍ରୀଙ୍କୁ ଏଥର ଓଡିଶା ଜବାବ ଦେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ୧୯ ବର୍ଷର ଶାସନରେ ଏ ଅଂଚଳରେ ବିଶୁଦ୍ଧ ପିଇବା ପାଣି ନାହିଁ, ବିସ୍ତୀର୍ଣ୍ଣ ଓ ଚଷାଚାଷୀ ଅଂଚଳରେ ଜଳସେଚନ ନଥିବାରୁ ଜମି ପଡିଆ ଖାଲି ପଡିଛି, ଡାକ୍ତରଖାନାରେ ଡାକ୍ତର ନାହାନ୍ତି, ବିଦ୍ୟାଳୟରେ ଶିକ୍ଷକ ନାହାନ୍ତି, ୨୪ ଘଂଟା ବିଜୁଳି ନାହି, ରୋଜଗାରର ଉପଲବ୍ଧ ନାହିଁ । ୧୯ ବର୍ଷ ଶାସନରେ ମୌଳିକ ସୁବିଧା ନକରି ନବୀନ କେଉଁ କଥାରେ ଦମ୍ଭ ଦେଖାଉଛନ୍ତି ।
ଅପରପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୦ ଲକ୍ଷ ଘର ଦେଇଥିବା ବେଳେ ସ୍ୱଚ୍ଛ ଭାରତ ଯୋଜନାରେ ୫୦ ଲକ୍ଷ ଶୌଚାଳୟ ଦେଇଛନ୍ତି, ସୌଭାଗ୍ୟ ଯୋଜନାରେ ୨୪ ଲକ୍ଷ ପରିବାରରେ ବିଜୁଳି ପହଁଚାଇଥିବା ବେଳେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ୪୦ ଲକ୍ଷ ଘରେ ମାଆ ଭଉଣୀଙ୍କ ପାଇଁ ମାଗଣାରେ ଏଲପିଜି ଗ୍ୟାସ ଦେଇଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦି ଘର ପିଛା ୧ ଲକ୍ଷ ୫୦ ହଜାର ଟଙ୍କା ଓ ଶୌଚାଳୟ ପିଛା ୧୨ ହଜାର ଟଙ୍କା ପଠାଉଥିବା ବେଳେ ଏଠାରେ ଆବାସ ଯୋଜନାରେ ଘର ପାଇଁ ୨୦ ହଜାର ଓ ଶୌଚାଳୟ ପାଇଁ ୨ ହଜାର ଟଙ୍କା ଓ ବାର୍ଧକ୍ୟ ଭତାରେ ପିସି କାରବାର ହେଉଛି ।
ଓଡିଶାରେ ନରେନ୍ଦ୍ର ମୋଦିଙ୍କ ଡବଲ ଇଞ୍ଜିନର ସରକାର ହେଲେ ଖଣି ମାଫିଆ, ଚିଟଫଣ୍ଡ ଚୋର ଓ ପିସିଖିଆଙ୍କୁ ତିନି ମାସରେ ଜେଲ୍ ପଠାଯିବ । ସେହିପରି ରାଜ୍ୟରେ ମହିଳା ମାନଙ୍କ ଉପରେ ଅତ୍ୟାଚାର ବନ୍ଦ କରିବା ପାଇଁ ୧୫ ବର୍ଷରୁ କମ୍ ଝିଅଙ୍କ ସହ ଦୁଷ୍କର୍ମ କରୁଥିବା ଲୋକଙ୍କୁ ଫାଶୀଦଣ୍ଡ ଦିଆଯିବାର ଆଇନ ଅଣାଯିବ । ଏତଦବ୍ୟତିତ ସବୁ ଗରିବଙ୍କୁ ଆଗାମୀ ୨୦୨୨ ସୁଦ୍ଧା ପକ୍କା ଘର ଓ ସ୍ଥାୟୀ ପଟ୍ଟା ଦିଆଯିବ, ଚାଷୀ ମାନଙ୍କୁ ବିନା ସୁଧରେ ଋଣ ଦିଆଯିବ, ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରି ଜଳସେଚନର ବ୍ୟବସ୍ଥା କରାଯିବ, ଏସଏସଜି ମହିଳାଙ୍କ ଋଣ ଛାଡ ସହ ବିନା ସୁଧରେ ଋଣ ଦିଆଯିବ, ସବୁ ଘରରୁ ଜଣଙ୍କୁ ନିଯୁକ୍ତି ଓ ଆତ୍ମନିଯୁକ୍ତି ଦିଆଯିବ । ମୋଦି ଆସିଲେ ଟଙ୍କିକିଆ ଚାଉଳ ବନ୍ଦ ହୋଇଯିବ ବୋଲି ମୁଖ୍ୟମନ୍ତ୍ରୀ ଅପପ୍ରଚାର କରୁଛନ୍ତି । ମୋଦି ଆସିଲେ ଟଙ୍କିକିଆ ଚାଉଳ ବନ୍ଦ ହେବ ନାହିଁ ବରଂ ଓଡିଶାର ୩ କୋଟି ୨୬ ଲକ୍ଷ ଲୋକଙ୍କୁ ମୋଟ ୧ ଟଙ୍କାରେ ୫ କେଜି ଚାଉଳ ସହ ଅଧକେଜି ଲେଖାଏଁ ଡାଲି ଓ ଲୁଣ ଦିଆଯିବ ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ସୁରକ୍ଷିତ ଭାବେ ରଖି ପାରୁନଥିବା ମୁଖ୍ୟମନ୍ତ୍ରୀ ନବୀନ ବାବୁ ଦିଲ୍ଲୀ ଶାସନର ଚାବିକାଠି ରଖିବେ ବୋଲି କହୁଛନ୍ତି । ସେଥିପାଇଁ ଦେଶରେ ଅସ୍ଥିର ସରକାର କରିବା କଥା ସେ ବାରମ୍ବାର କହୁଛନ୍ତି । ଅତୀତରେ ଓଡିଶାର ସାଧାରଣ ଜନତା କଂଗ୍ରେସ ଓ ୨୦ ବର୍ଷ ଧରି ବିଜେଡିକୁ ଦାୟିତ୍ୱ ଦେଇଛନ୍ତି । ଥରେ ବିଜେପିକୁ ଦାୟିତ୍ୱ ଦେଲେ ୧୯ ବର୍ଷରେ ଓଡିଶାରେ ହୋଇନଥିବା କାମକୁ ବିଜେପି ୫ ଗୁଣା କାମ ୫ ବର୍ଷରେ କରିବ ବୋଲି ପ୍ରଧାନମନ୍ତ୍ରୀଙ୍କ କଥାକୁ ଦୋହରାଇଛନ୍ତି ଶ୍ରୀ ପ୍ରଧାନ ।
ଓଡିଶାରେ ଡବଲ ଇଞ୍ଜିନର ସରକାର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରାଗ ହୋଇଛି । ୧୯ ବର୍ଷର ଅପାରଗ, ଦୁର୍ନୀତିଗ୍ରସ୍ତ, ଯୁବକ, ମହିଳା ଓ ଗରିବ ବିରୋଧୀ ରାଜ୍ୟ ସରକାର ବଦଳିବା ଦରକାର । ଫିର ଏକ୍ ବାର୍ ମୋଦି ସରକାର । ଅବ୍ କି ବାର୍ ଡବଲ ଇଞ୍ଜିନ ସରକାର ନାରା ଶ୍ରୀ ପ୍ରଧାନ ନେଇଥିଲେ ।
