ଅର୍ଗସ ବ୍ୟୁରୋ: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଉପରେ ସମସ୍ତଙ୍କ ନଜର ଥିବା ବେଳେ ଭଦ୍ରକ ଲୋକସଭା ଆସନ କାହା ଖାତାକୁ ଯିବ ସେନେଇ ଚର୍ଚ୍ଚା ଜୋର । ବିଜେଡି ଜନ୍ମ ନେବା ପାଖରୁ ଭଦ୍ରକକୁ ନିଜ କବଜାରେ ରଖିଛି । କିନ୍ତୁ ‘ଶଙ୍ଖ’ ଚିହ୍ନରେ ବିଜୟ ହୋଇ ଭଦ୍ରକକୁ ନିଜ ଅକ୍ତିଆରରେ ରଖିଥିବା ଅର୍ଜୁନ ସେଠୀ ଆଉ ବିଜେଡିରେ ନାହାନ୍ତି । ଟିକେଟ ବଣ୍ଟାକୁ ନେଇ ଅସନ୍ତୋଷ ପ୍ରକାଶ କରି ବିଜେଡି ଛାଡ଼ିଛନ୍ତି 8 ଥରର ସାଂସଦ ଅର୍ଜୁନ ସେଠୀ । ବୟାସାଧିକ କାରଣରୁ ଅର୍ଜୁନଙ୍କୁ ଟିକେଟ ମିଳିଲାନି ସତ କିନ୍ତୁ ତାଙ୍କ ପୁଅ ଅଭିମନ୍ୟୁଙ୍କୁ ବିଜେଡି ଟିକେଟ ଦେବ ବୋଲି ଯେଉଁ ଡିଲ ହୋଇଥିଲା ତାହା ପୁରା ହେଲାନି । ଏଥିରେ ଅତିଷ୍ଠ ହୋଇ ଅର୍ଜୁନ-ଅଭିମନ୍ୟୁ ‘ପଦ୍ମ’ ଧରିଲେ । ତାପରେ ବିଜେପି ଅଭିମନ୍ୟୁଙ୍କୁ ଭଦ୍ରକ ଲୋକସଭା ଆସନରୁ ଟିକେଟ ଦେଇଛି ।
ସେହିଭଳି ବିଜେଡି ନିଜର ଅନୁଭବୀ ନେତାଙ୍କୁ ହରାଇ ମହିଳା କାର୍ଡ ଖେଳିଛି । ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ପତ୍ନୀ ମଞ୍ଜୁଲତା ମଣ୍ଡଳଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଏହାସହ କଂଗ୍ରେସ ମଧ୍ୟ ନିଜର ପ୍ରାର୍ଥୀ ବଦଳାଇଛି । ବରିଷ୍ଠ ନେତା ଅନନ୍ତ ସେଠୀଙ୍କ ଝିଅ ମଧୁମିତା ସେଠୀଙ୍କୁ ଭଦ୍ରକ ଲୋକସଭା ଆସନ ଟିକେଟ ଦେଇଛି କଂଗ୍ରେସ । ସମସ୍ତ ପ୍ରାର୍ଥୀଙ୍କୁ ସମୀକ୍ଷା କଲେ ଜାଣିପାରିବେ ଯେ 2019ରେ ଭଦ୍ରକ ଲୋକସଭାରେ ନୂଆ-ନୂଆ-ନୂଆ ମଧ୍ୟରେ ଟକ୍କର । ଅଭିମନ୍ୟୁ, ମଞ୍ଜୁଲତା ଏବଂ ମଧୁମିତା ସମସ୍ତେ ନିର୍ବାଚନୀ ମୈଦାନରେ ନୂଆ । 1998ରୁ ବିଜେଡି ଗଡ଼ ରହି ଆସିଥିବା ଭଦ୍ରକରେ ଏଥର ପରିବର୍ତ୍ତନ ହେବ କି ନାହିଁ ତାହା ଏପ୍ରିଲ 29ରେ ନିର୍ଦ୍ଧାରଣ ହେବ ।
ଅଭିମନ୍ୟୁ ସେଠୀ

ଅର୍ଜୁନ ସେଠୀଙ୍କ ପୁଅ ଅଭିମନ୍ୟୁ । 8 ଥରର ଲୋକସଭା ସାଂସଦ ଅର୍ଜୁନଙ୍କ ପାଖରେ ରହିଛି ଢେର ଅନୁଭବ । ଦୁଇଥର କଂଗ୍ରେସରୁ ଜିତିଥିବା ବେଳେ 1998ରୁ ବିଜେଡି ଟିକେଟରେ ଜିତି ଆସିଥିଲେ ଅର୍ଜୁନ । ତେବେ ଟିକେଟ ବଣ୍ଟନରେ ଅସନ୍ତୋଷ ପ୍ରକାଶ କରି ‘ପଦ୍ମ’ ଧରିବା ପରେ ଲୋକଙ୍କ ବିଶ୍ୱାସ ଜିଣି ପାରିବେ କି ନାହିଁ ତା ଉପରେ ନଜର । ଏହାସହ ଜଣେ ବରିଷ୍ଠ ଏବଂ ଅଭିଜ୍ଞ ରାଜନେତାଙ୍କ ପୁଅ ଅଭିମନ୍ୟୁଙ୍କୁ ଲୋକସଭାରେ ଏଣ୍ଟ୍ରି କରିବା କଷ୍ଟ ହୋଇ ନପାରେ ବୋଲି କୁହାଯାଉଛି । ଗୋଟିଏ ପଟେ ବାପାଙ୍କ ଦବଦବା ଅନ୍ୟପଟେ କେନ୍ଦ୍ରରେ ମୋଦି ହାୱା ଅଭିମନ୍ୟୁଙ୍କୁ ମାଇଲେଜ୍ ଦେଇପାରେ ।
ମଞ୍ଜୁଲତା ମଣ୍ଡଳ

ବିଜେଡିର ପ୍ରାର୍ଥିନୀ ମଞ୍ଜୁଲତା ମଣ୍ଡଳ ଯଦିଓ ପ୍ରତ୍ୟେକ୍ଷ ରାଜନୀତିରେ ଡେବ୍ୟୁ କରିଛନ୍ତି କିନ୍ତୁ ଅନୁଭବ କିଛି କମ ନାହିଁ । ସ୍ୱାମୀ ମୁକ୍ତିକାନ୍ତ ମଣ୍ଡଳଙ୍କ ସହ ସେ ରାଜନୀତିକୁ ବହୁ ପାଖରୁ ଦେଖିଛନ୍ତି, ଶିଖିଛନ୍ତି ମଧ୍ୟ । ମଞ୍ଜୁଲତା ସ୍ୱାମୀଙ୍କ ସହ ଦୀର୍ଘ ୨୫ ବର୍ଷ ଧରି ରାଜନେୈତିକ କାର୍ଯ୍ୟ କରିଛନ୍ତି । ସ୍ୱାମୀଙ୍କ ନିର୍ବାଚନ ବେଳେ ପ୍ରଚାର ମଙ୍ଗ ବି ଧରିଛନ୍ତି । ବିଜେଡି ମଧ୍ୟ ନବାଗତ ମଞ୍ଜୁଲତାଙ୍କୁ ନେଇ ଏଥର ନିର୍ବାଚନ ବୈତରଣୀ ପାର ହେବା ପାଇଁ ନୂଆ ଫର୍ମୁଲା ଆପଣାଉଥିବା ଦେଖିବାକୁ ମିଳୁଛି ।
ମଧୁମିତା ସେଠୀ

ଭଦ୍ରକରେ କଂଗ୍ରେସ ମଧ୍ୟ ପଛରେ ପଡି ନାହିଁ । ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀଙ୍କ ଝିଅ, ରାଜନୀତିରେ ସଂପୂର୍ଣ୍ଣ ନୂଆ ଚେହେରା ଇଂ ମଧୁମିତା ସେଠୀଙ୍କୁ ଟିକେଟ ଦେଇଛି କଂଗ୍ରେସ । ରାଜନୀତିରେ ନୂଆ ହେଲେ ମଧ୍ୟ ମଧୁମିତା ବାପାଙ୍କ ସହ ମିଶି ରାଜନୀତି ମୈଦାନର ଅନୁଭୂତି ସଂଗ୍ରହ କରିଛନ୍ତି । ବାପା ଅନନ୍ତ ଥିଲେ ଏକଦା ସ୍ୱର୍ଗତ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କର ଏକାନ୍ତ ଅନ୍ତରଙ୍ଗ । ପିଲାଟି ଦିନରୁ ବାପାଙ୍କର ରାଜନୈତିକ ଜୀବନ ଦେଖିଛିନ୍ତ ମଧୁମିତା । କଂଗ୍ରେସ ଦଳ ତାଙ୍କ ଉପରେ ଆସ୍ଥା ଓ ବିଶ୍ୱାସ ରଖି ପ୍ରାର୍ଥୀ କରିଥିବାରୁ ସେ ଦଳ ପାଇଁ କାମ କରିବେ ବୋଲି କହିଛନ୍ତି ।
ଚତୁର୍ଥ ପର୍ଯ୍ୟାୟରେ ଭଦ୍ରକ ଲୋକସଭା ଉପରେ ନଜର ଥିବା ବେଳେ ବାପାଙ୍କ ଦବଦବା ନା ସ୍ୱାମୀଙ୍କ ସମର୍ଥନ କାଟୁ କରୁଛି ତାହା ଦେଖିବାକୁ ବାକି ରହିଲା । ଏପ୍ରିଲ 29ରେ ଭଦ୍ରକ ଲୋକସଭା ସମେତ 7ଟି ବିଧାନସଭା (ସୋରୋ, ସିମୁଳିଆ, ଭଣ୍ଡାରିପୋଖରୀ, ଭଦ୍ରକ, ବାସୁଦେବପୁର, ଧାମନଗର ଏବଂ ଚାନ୍ଦବାଲି)ରେ ମଧ୍ୟ ମତଦାନ ହେବ । ମେ’ 23 ରେ ଭୋଟ ଗଣତି ପରେ ଭଦ୍ରକ କାହା ଖାତାକୁ ଯାଇଛି ଜଣାପଡ଼ିବ ।
ଭଦ୍ରକରେ କିଏ ଜିତିବ ? ଏନେଇ ଆପଣଙ୍କ ମତାମତ ତଳେ ଥିବା କମେଣ୍ଟ ବକ୍ସରେ ଦେଇପାରିବେ..