ଭୁବନେଶ୍ୱର: ନିର୍ବାଚନ ସମୟରେ ରାଜ୍ୟ ରାଜନୀତିରେ ଶୋକର ଛାୟା ଖେଳିଯାଇଛି । ବରିଷ୍ଠ ନେତା ତଥା ବିଜେଡିର ପାଟକୁରା ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ୱାଲ ନିଜ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବେଦପ୍ରକାଶଙ୍କ ମୃତ୍ୟୁ ଚଳିତ ନିର୍ବାଚନର ଚିତ୍ର ବଦଳାଇବା ସହ ଏକ ପ୍ରଶ୍ନ ଓ ସନ୍ଦେହ ମଧ୍ୟ ସୃଷ୍ଟି କରିଛି । ଆସନ୍ତୁ ବିଚାର କରିବା....
କେନ୍ଦ୍ରାପଡ଼ା ନିର୍ବାଚନ ଚଳିତ ନିର୍ବାଚନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏଥିରେ ସନ୍ଦେହ ନାହିଁ । ଜୟ-ବିଜୟ ଯୋଡ଼ି 19 ବର୍ଷର ଶାସକ ଦଳ ବିଜେଡ଼ିର ନିଦ ହଜେଇଦେଇଛନ୍ତି । ବୈଜୟନ୍ତ ପଣ୍ଡା ବିଜେଡି ଛାଡି ବିଜେପିରେ ଯୋଗ ଦେବା ପରେ ନବୀନ ପଟ୍ଟନାୟକଙ୍କ ଚିନ୍ତା ବଢିଯାଇଥିବାର ଅନେକ ନଜିର ମିଳିଛି । ଏଣୁ ଜୟ ପଣ୍ଡାଙ୍କ ଭଳି ଜଣେ ବରିଷ୍ଠ ଓ ଦମଦାର ରାଜନେତାଙ୍କ ବିରୁଦ୍ଧରେ ଲୋକପ୍ରିୟ ସିନେ ତାରକା ଏବଂ ରାଜ୍ୟସଭା ସାଂସଦ ଅନୁଭବଙ୍କୁ ନବୀନ ବାଛିଲେ । ରାଜନୀତିରେ ଅଭିଜ୍ଞ ଖିଲାଡି ନବୀନ ପଟ୍ଟନାୟକ ଜୟ ପଣ୍ଡାଙ୍କୁ ବ୍ୟକ୍ତିଗତ ଟାର୍ଗେଟ୍ କରିଆସିଛନ୍ତି ।
ସେହିପରି ଜୟଙ୍କୁ ନେଇ ବିକଳ୍ପ ବାଛିବା ପରେ ନବୀନଙ୍କ ଚିନ୍ତା ବଢାଇଥିଲେ ବିଜୟ । ବିଜୟ ବିଜେପିରୁ ଅସନ୍ତୁଷ୍ଟ ହୋଇ ଛାଡିବା ପରେ ପୁଣି ଘର ବାହୁଡିଥିଲେ । ଏହି କଥାଟି ମୁଣ୍ଡ ବିନ୍ଧାର କାରଣ ହୋଇଥିଲା ନବୀନଙ୍କର । ପୁଣି ଜୟ-ବିଜୟଙ୍କ ପାଇଁ ମଇଦାନରେ ପ୍ରଚାର କରିବେ ଦିଲ୍ଲୀପ ରାୟଙ୍କ ଭଳି ହେଭିଓ୍ୱେଟ୍ । ଏହାକୁ ସହଜରେ ନେଲେ ନିଶ୍ଚିତ ଭାବେ ଅଡୁଆ ବଢିବ ବୋଲି ନବୀନ ଚିନ୍ତା କଲେ । ବିଜୟ ଲଢିଥାନ୍ତେ ପାଟକୁରା ଆସନରୁ । ଆଉ ଏହି ଆସନ ସହ ଯୋଡି ହୋଇ ରହିଛି ନବୀନଙ୍କ ଭୟ । ଜୟଙ୍କ ପାଇଁ ବିକଳ୍ପ ବାଛିବା ପରେ ବିଜୟଙ୍କ ପାଇଁ ଷଡଯନ୍ତ୍ର କଲେ ନବୀନ । ବିଜୟଙ୍କ ଉପରେ ନବୀନଙ୍କ ପୁରୁଣା ରାଗ ମଧ୍ୟ ରହିଛି । ବିଜୟ ବିଜୁ ଅନୁଗତ ଭାବେ ଲୋକଙ୍କ ମଧ୍ୟରେ ରାଜ୍ କରନ୍ତି । ଅନେକ ବିଚାରବିମର୍ଷ ପରେ ବିଜୟଙ୍କ ବିରୁଦ୍ଧରେ ନବୀନ ବାଛିଲେ 82 ବର୍ଷୀୟ ବେଦପ୍ରକାଶଙ୍କୁ । ଯିଏକି ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ । ବିଜେଡିର ଅନେକ ଟାଣୁଆ ନେତା ଲାଇନ୍ରେ ଥିଲେ ମଧ୍ୟ ନବୀନ ବାଛିଲେ ଗୁରୁତର ଅସୁସ୍ଥ ହୋଇ ଚିକିତ୍ସା ହେଉଥିବା ବେଦପ୍ରକାଶ ଅଗ୍ରଓ୍ୱାଲଙ୍କୁ ।
ଚିନ୍ତା କଲେ ବି ଦୁଃଖ ଲାଗୁଛି, ଏ କିଭଳି ରାଜନୀତି ? ବେଦପ୍ରକାଶଙ୍କ ଆକସ୍ମିକ ମୃତ୍ୟୁ ନୁହେଁ, ବରଂ ଦୀର୍ଘ ଦିନ ଧରି ଅସୁସ୍ଥ ଥିବାରୁ ସେ ଇହଧାମ ତ୍ୟାଗ କରିଛନ୍ତି । ସେ ଏତେ ମାତ୍ରାରେ ଅସୁସ୍ଥ ଥିଲେ ଯେ, ଟିକଟ ଆବଣ୍ଟନ ସମୟରେ ନିଜେ ନବୀନ ନିବାସ ଆସିବାକୁ ଅସମର୍ଥ ଥିଲେ । ତେବେ କଣ ଭାବି ? କେଉଁ ଷଡଯନ୍ତ୍ର ଆଧାରରେ ? ନବୀନ ଜଣେ ଅତ୍ୟନ୍ତ ଅସୁସ୍ଥ ବ୍ୟକ୍ତିଙ୍କୁ ପାଟକୁରା ଆସନ ପାଇ ବାଛିଲେ ଏହା ସନ୍ଦେହ ସୃଷ୍ଟି କରିଛି । ସନ୍ଦେହ ଆସିନଥାନ୍ତା, ଯଦି ପାଟକୁରାରୁ ବିଜୟ ମହାପାତ୍ର ପ୍ରାର୍ଥୀ ହୋଇନଥାନ୍ତେ । ଏପରି ସ୍ଥଳେ ବେଦପ୍ରକାଶଙ୍କୁ ଟିକଟ ଦେବା ପଛରେ ନିଶ୍ଚୟ ଏକ ମନ୍ଦ ଉଦ୍ଦେଶ୍ୟ ଥିଲା ।
କେବଳ ବିଜୟ ମହାପାତ୍ରଙ୍କୁ ରୋକିବା ପାଇଁ ଯେ ନବୀନଙ୍କ ଏଭଳି ଷଡଯନ୍ତ୍ର ଥିଲା ଏହା ସାଧରଣରେ ଅବିଶ୍ୱାସ କରାଯାଇପାରିବ ନାହିଁ । ବିଧାନସଭାକୁ ବିଜୟ ଆସନ୍ତୁ, ଏକଥା ନବୀନ ଚାହାନ୍ତି ନାହିଁ ଏହାର ପୁଣି ଏକ ପ୍ରମାଣ ମିଳିଛି । ପୂର୍ବରୁ ମଧ୍ୟ ନବୀନ ପଟ୍ଟନାୟକ ଛଳନା କରିଛନ୍ତି ପାଟକୁରାବାସୀ ଏବଂ ବିଜୟଙ୍କ ସହ । 1980ରୁ ପାଟକୁରାରୁ ଲଗାତାର 4ଥର ଜିତିଥିଲେ ବିଜୟ ମହାପାତ୍ର । କିନ୍ତୁ 2000 ମସିହାରେ ପ୍ରାର୍ଥୀ ପତ୍ର ଦାଖଲ ଦିନ ନବୀନ ତାଙ୍କୁ ବିଜେଡିରୁ ନିଲମ୍ୱନ କରିଥିଲେ । ଫଳରେ ବିଜୟ ନିର୍ବାଚନ ଲଢିପାରି ନଥିଲେ । ଏଥର ମଧ୍ୟ ଏଭଳି ନିଷ୍ପତ୍ତି ନେଇ ନବୀନ ହୀନ ରାଜନୀତି କରିଛନ୍ତି ବୋଲି କହିଲେ ଭୁଲ ହେବନାହିଁ । ଅନ୍ୟପଟେ 82 ବର୍ଷୀୟା ଭି. ସୁଜ୍ଞାନୀ ଦେଓଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଯୋଗୁଁ ପ୍ରାର୍ଥୀ କଲା ନାହିଁ ବିଜେଡି । ସେହିପରି ବ୍ରହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟାୟକଙ୍କୁ ମଧ୍ୟ ବାର୍ଦ୍ଧକ୍ୟ କାରଣ ଦର୍ଶାଇ ଟିକଟ୍ ଦେଲେନି ନବୀନ । ସମାନ କାରଣ ପାଇଁ ଭଦ୍ରକ ସାଂସଦ ଅର୍ଜୁନ ସେଠୀଙ୍କୁ ମଧ୍ୟ ବାଦ୍ ଦିଆଗଲା । ତା’ହେଲେ ବେଦପ୍ରକାଶଙ୍କୁ କାହିଁକି?
ବର୍ତ୍ତମାନ ବେଦପ୍ରକାଶଙ୍କ ମୃତ୍ୟୁ ସହ ପାଟକୁରା ବିଧାନସଭା ନିର୍ବାଚନର ଭବିଷ୍ୟତ ନିର୍ବାଚନ କମିଶନଙ୍କ ହାତରେ । ସେ ଚାହିଁଲେ ପୁନଃ ନୋଟିଫିକେସନ ଦେଇ ପାଟକୁରା ବିଧାନସଭା ନିର୍ବାଚନକୁ ସବୁଜ ସଂକେତ ଦେଇ ପାରନ୍ତି ବା ବାତିଲ୍ ମଧ୍ୟ କରିପାରନ୍ତି । 1951 ପିପୁଲସ୍ ଆକ୍ଟ ଧାରା 52 ଅନୁସାରେ ନିର୍ବାଚନ କମିଶନଙ୍କ ଅଧିକାର ରହିଛି ନିଷ୍ପତ୍ତି ନେବାର । ଏବେ ସମସ୍ତଙ୍କ ନଜର ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ଉପରେ ।
ପାଟକୁରା ବିଧାନସଭା ଆସନରୁ ବେଦପ୍ରକାଶ ଅଗ୍ରଓ୍ୱାଲଙ୍କୁ ନବୀନ ପ୍ରାର୍ଥୀ କରିବା ଉପରେ ଆପଣ ନିଜ ମତାମତ ଆମକୁ କମେଣ୍ଟ ବକ୍ସରେ ଜଣାନ୍ତୁ ।

