
ନୟାଗଡ: ନୟାଗଡ ଜିଲ୍ଲା ବାହାଡାଝୋଲା ଗ୍ରାମର ସୂର୍ଯ୍ୟମଣି ସାହୁ । ମାତ୍ର ନବମ ଶ୍ରେଣୀରେ ପାଠ ପଢି ନିଜେ ଆତ୍ମ ନିର୍ଭରଶୀଳ ହେବା ସହ ଗାଁର ତିନିଶହ ଜଣ ବେରୋଜଗାରୀଙ୍କୁ ଦେଖାଇଛନ୍ତି ରୋଜଗାରର ପନ୍ଥା । ଗାାଁରେ ପଡିଆ ପଡିଥିବା ନିଜର ଶହେ ଏକର ଜମିରେ ଲେୟର ଫାର୍ମ , ମାଛ , ନଡିଆ ଏବଂ ଲେମ୍ବୁ ଚାଷ ସାଙ୍ଗକୁ କାଜୁଶିଳ୍ପ ପ୍ରତିଷ୍ଠାକରି ବର୍ଷକୁ ୩୦ରୁ ୪୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ସୁର୍ଯମଣି । ନିଜର ଅଦମ୍ୟ ଇଚ୍ଛାଶକ୍ତି ଓ ଅଧ୍ୟାବସାୟ ବଳରେ ସେ ଜିଲ୍ଲାର ଅନ୍ୟଚାଷୀଙ୍କ ପାଇଁ ପାଲଟିଛନ୍ତି ପ୍ରେରଣାର ଉତ୍ସ ।

ନୟାଗଡ ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବାହାଡାଝୋଲା ଗ୍ରାମର ସୂର୍ଯ୍ୟମଣି ସାହୁ । ପଢା ପଢି ମାତ୍ର ନବମ ଶ୍ରେଣି , ହେଲେ ନିଜର ଅଦମ୍ୟ ଇଚ୍ଛାଶକ୍ତି ଓ ଅଧ୍ୟାବସାୟ ବଳରେ ସେ ଶହ ଶହ ଚାଷୀଙ୍କ ପାଇଁ ପାଲଟିଛନ୍ତି ପ୍ରେରଣାର ଉତ୍ସ । ବାପା ଜେଜେ ବାପାଙ୍କଠାରୁ ଚାଷକାମରେ ପ୍ରେରଣା ପାଇ ପିଲାଟି ଦିନରୁ ଚାଷକାମରେ ନିଜର ମନୋନିବେଶ କରିଛନ୍ତି । ୨୦ ବର୍ଷ ତଳେ ଅଳ୍ପ ଜାଗାରେ ଏକାକି କାଜୁ ଚାଷରୁ ଜୀବିକା ଆରମ୍ଭ କରି ଏବେ ଏକାସାଙ୍ଗରେ କୁକୁଡା ଚାଷ , ଗୋପାଳନ , ମାଛ ଚାଷ , କାଜୁ ଚାଷ , ପାମ ଚାଷ ସହ ଲେମ୍ବୁ ଓ ନଡିଆ ଚାଷକରି ଶହ ଶହ ଚାଷୀଙ୍କୁ ରୋଜଗାରର ବାଟ ଦେଖାଇଛନ୍ତି । ଏହାଛଡା ନିଜ ଉଦ୍ୟମରେ ଗାଁ ରେ କାଜୁ ଫ୍ୟାକ୍ଟ୍ରି ବସାଇ ଦେଶର କୋଣ ଅନୁକୋଣକୁ କାଜୁ ଯୋଗାଇ ସହ ଅଂଚଳର ଶହ ଶହ ମହିଳା ଓ ଯୁବକଙ୍କ ପାଇଁ କାରଖାନାରେ ନିଜୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି ।

ସୂର୍ଯ୍ୟମଣିଙ୍କ ଲେୟାର ଫାର୍ମରେ ଏବେ ୪୮ ହଜାରେ କୁକୁଡା ରହିଥିବା ବେଳେ ଏଠାରୁ ଦୈନିକ ୩୦ରୁ ୪୦ ହଜାର ଅଣ୍ଡା ଉତ୍ପାଦନ ହେଉଛି । ସେହିପରି ବାର୍ଷିକ ଚାଳିଶି ଏକର ଜମିରୁ ୩୦୦ କ୍ୱିଂଟାଲ୍ କାଜୁ ,୧୫ ଏକରର ପୋଖରୀରୁ ୧୫୦ କ୍ୱିଂଟାଲ୍ ମାଛ , ଲେମ୍ବୁବଗିଚାରୁ ବସ୍ତା ବସ୍ତା ଲେମ୍ବୁ ଏବଂ ୨ ରୁ ଚାରି ହଜାର ସଂଖ୍ୟାରେ ନଡିଆ ଆଦି ଉତ୍ପାଦନ ହେଉଛି । ଏହାଛଡା ଅଂଚଳରେ ପ୍ରଥମ ଥର ପାଇଁ ଦୁର୍ଲଭ ନିମୋନ ଗ୍ଲାସ ଅଏଲ୍ ଚାଷକରି ସେ ବହୁ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ସମ୍ମାନପତ୍ର ମଧ୍ୟ ପାଇଛନ୍ତି । ତେବେ ଏ ଦିଗରେ ତାଙ୍କୁ ପ୍ରେତ୍ସାହିତ କରିବା ଉଦ୍ଦେଶ୍ୟରେ ସରକାର ଆଉକିଛି ସହାୟତାର ହାତ ବଢାଇଲେ ସେ ଅଂଚଳରେ ଆହୁରି ନିଜୁକ୍ତି ସୁଯୋଗ ସୃଷ୍ଟିକରିପାରିବେ ବୋଲି କହିଛନ୍ତି ।

ରାଜ୍ୟର ଅନ୍ୟଚାଷୀଙ୍କ ପାଇଁ ସୁର୍ଯ୍ୟମଣି ଜଣେ ପ୍ରେରଣାର ଉତ୍ସ । ନିଜେ ଆତ୍ମ ନିର୍ଭରଶୀଳ ହୋଈ ଅନ୍ୟଚାଷୀ ଓ ମହିଳାଙ୍କୁ ନିଜୁକ୍ତି ସୁଯୋଗ ଦେବାରେ ସୂର୍ଯ୍ୟମଣିଙ୍କ ଏ ଉଦ୍ୟମ ଖୁବ୍ ପ୍ରଶଂସନୀୟ । ତେବେ ସୂର୍ଯମଣିଙ୍କ ଭଳି ଜଣେ ସଫଳ ଚାଷୀଙ୍କୁ ସରକାର ଆଉକିଛି ସହାୟତାର ହାତ ବଢାଇଲେ ସେ ନିଶ୍ଚୟ ଆହୁରି ସଫଳତାର ଶୀର୍ଷରେ ପହଂଚି ପାରିବେ ।
