
ପୁରୀ/ କୋଣାର୍କ: ପ୍ରଶାସନକୁ ଦେଖା ଗଲାନି ଶେଷରେ ବେଳାଭୂମି ସଫା କଲେ ସ୍ଥାନୀୟ ବାସିନ୍ଦା । ଆଜିଠାରୁ ଆରମ୍ଭ ହୋଇଯାଇଛି ପବିତ୍ର ମାଘ ସପ୍ତମୀ ଯାତ୍ରା । ଏହି ପବିତ୍ର ଅବସରରେ ଲକ୍ଷାଧିକ ଶ୍ରଦ୍ଧାଳୁ ଚନ୍ଦ୍ରଭାଗା ଆସି ବୁଡ଼ ପକାଇଥାନ୍ତି । ଏଠାରେ ବୁଡ଼ ପକାଇଲେ ଅନେକ ପୁଣ୍ୟ ଅର୍ଜନ ହୋଇଥାଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି ।
ତେଣୁ ଆଜିର ପବିତ୍ର ମାଘ ସପ୍ତମୀ ଅବସରରେ ପ୍ରସିଦ୍ଧ କୋଣାର୍କ ଚନ୍ଦ୍ରଭାଗାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଏହାକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ମଧ୍ୟ କରାଯାଇଥିଲା । ହେଲେ ଶ୍ରଦ୍ଧାଳୁଙ୍କ ସମାଗମରେ ଚନ୍ଦ୍ରଭାଗା ବେଳାଭୂମିରେ ଅନେକ ଅଳିଆ ଆବର୍ଜନା ପଡି ଅପରିଷ୍କାର ସହ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଥିଲା । ଆଉ ଏହାକୁ ସଫା କରିବାକୁ ଭୁଲିଯାଇଥିଲା ପ୍ରଶାସନ ।
ତେଣୁ ବାଧ୍ୟ ହୋଇ ସ୍ଥାନୀୟ ଅଞ୍ଚଳର ଏକ ସ୍ୱେଚ୍ଛାସେବୀ ସଂଗଠନ, ଵେଳାଭୂମି ସହ ଏହି ତୀର୍ଥ ପୁଷ୍କରିଣୀ ସଫା କରିବା ପାଇଁ ଆଗେଇ ଆସିଥିଲା । ଗୋପ ଅଞ୍ଚଳର ସ୍ୱେଚ୍ଛାସେବୀ ସଂଗଠନ ‘ନିସ୍ୱାର୍ଥ’ ପରିବାରର ସଦସ୍ୟମାନେ ଏବଂ ଏନ୍ଡିଆର୍ଏଫ୍ ଟିମ୍ ମିଶି ବେଳାଭୂମି ସଫା କରିଥିଲେ । ଏହି ଦୁଇଟି ଟିମ୍ର ସଦସ୍ୟମାନେ ଆଜି ପ୍ରାୟ 4 ଘଣ୍ଟା ପରିଶ୍ରମ କରି ବେଳାଭୂମି ସଫେଇ କରିଥିଲେ ।
ସେହିପରି ପୁରୀ ବେଳାଭୂମୀକୁ ସଫା ସୁତୁରା ରଖି ପର୍ଯ୍ୟଟନର ବିକାଶ କରିବା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡି ଲାଗି ପଡିଥିବା ବେଳେ ବିଚ୍ କ୍ଲିନ କରିବା ପାଇଁ ଆଗେଇ ଆସିଛନ୍ତି ପୁରୀ ଟ୍ରାକିଂ କ୍ଳବ୍ । ଆଜି ଟ୍ରାକିଂ କ୍ଳବର 16 ଜଣିଆ ସଦସ୍ୟ ପୁରୀ ଚକ୍ରତୀର୍ଥ ବେଳାଭୂମିଠାରୁ ଚାଲି ଚାଲି ବାଲୁଖଣ୍ଡ ଅଭୟାରଣ୍ୟ ଦେଇ ନୂଆନଈ ପର୍ଯ୍ୟନ୍ତ ଯାତ୍ରା କରିଥଲେ । କ୍ଳିନ୍ ଵିଚ୍ ଗ୍ରୀନ୍ ବିଚ୍ର ବାର୍ତ୍ତା ସହ ବେଳାଭୂମି ସଫେଇ କରିଥିଲେ । ଏବଂ ସେଠାରେ ପଡିଥିବା ମୃତ ଅଲିଭ ରିଡଲେ କଇଁଛଙ୍କୁ ପୋତି ଥିଲେ ।
