
ଭୁବନେଶ୍ୱର: ମହାରଥୀଙ୍କୁ ବହିଷ୍କାର ଦାବି ନେଇ ତେଜିଲା ରାଜନୀତି । କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ମନ୍ତିମଣ୍ଡଳରୁ ବହିଷ୍କାର ଦାବି କରି ପୂର୍ବରୁ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ନବୀନ ନିବାସ ଘରାଉ କରିବାକୁ ଉଦ୍ୟମ କାରାଯାଇଥିବା ବେଳେ ଆଜି ରାଜ୍ୟ ମହିଳା କଂଗ୍ରେସ ପକ୍ଷରୁ ମଧ୍ୟ ସମାନ ପଦକ୍ଷେପ ନିଆଯାଇଛି । ଶତାଧିକ ମହିଳା କଂଗ୍ରେସ କର୍ମୀ ଆଜି (ଗରୁବାର) କଂଗ୍ରେସ ଭବନଠାରୁ ଏକ ଶୋଭାଯାତ୍ରାରେ ବାହାରି ନବୀନ ନିବାସ ଅଭିମୁଖେ ଯାଇଥିଲେ । ପରେ ଶିଶୁ ଭବନ ଛକଠାରେ ପହଞ୍ଚିବା ପରେ ପୋଲିସ ପ୍ରଶାସନ ପକ୍ଷରୁ ତାଙ୍କୁ ଅଟକା ଯାଇଥିଲା ।
ପିପିଲି ଗଣ ଦୁଷ୍କର୍ମ ଘଟଣାର ରାୟ ପ୍ରକାଶ ପରେ ସାରା ରାଜ୍ୟ ଅସନ୍ତୋଷ ପ୍ରକାଶ କରିଥିଲା । କିନ୍ତୁ ସେହି ସମୟରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଏହି ରାୟକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ ।
ଗଣଦୁଷ୍କର୍ମର ଶିକାର ହେବା ଏବଂ ନ୍ୟାୟ ନପାଇ ପରବର୍ତ୍ତୀ ସମୟରେ ମୃତ୍ୟୁବରଣ କରିଥିବା ବେବିନାଙ୍କୁ ନେଇ ପ୍ରଦୀପଙ୍କ ମନ୍ତବ୍ୟ ସହଜରେ ହଜମ କରିପାରୁ ନାହାନ୍ତି ଓଡ଼ିଶାବାସୀ । ବେବିନା ବେହେରାଙ୍କ ଗଣଦୁଷ୍କର୍ମ ମାମଲାର ଅଭିଯୁକ୍ତ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଅନ୍ୟପଟେ ଏହା ବେବିନାଙ୍କୁ ନ୍ୟାୟ ବୋଲି କହି ଓଡ଼ିଶାବାସୀଙ୍କ ଭାବନା ସହ ପ୍ରଦୀପ ମହାରଥୀ ଖେଳିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।
ତେବେ ମହାରଥୀଙ୍କ ବିବାଦୀୟ ବୟାନ ପରେ ଆକ୍ସନ ମୁଡରେ ଆସିଛନ୍ତି ମହିଳା କଂଗ୍ରେସ ଗତ (ଗୁରୁବାର) ମହିଳା କଂଗ୍ରେସ ପକ୍ଷରୁ ମହାରଥୀଙ୍କ ବାସଭବନ ଘେରାଉ କରାଯିବା ସହ ଅଣ୍ଡା-ବିଲାତି ମାଡ଼ କରାଯାଇଥିଲା । ଆଜି ପୁଣି ସମାନ ଘଟଣାକୁ ନେଇ ନବୀନ ନିବାସ ଘେରାଉ କରିବାକୁ ଉଦ୍ୟମ କରିଛି ମହିଳା କଂଗ୍ରେସ ।
ନବୀନ ନିବାସ ଘେରାଉ କରିବା ସମୟରେ ମହିଳା କଂଗ୍ରେସର ଜଣେ କର୍ମୀ ଗୁରୁତର ଆହତ ହୋଇଥିଲେ । ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।