
ନୂଆପଡ଼ା: ସାଧାରଣ ଜନତାଙ୍କ ପାଇଁ ମାଗଣା ଓ ଉତ୍ତମ ମାନର ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ କରି ଚାଲିଛନ୍ତି । ଜିଲ୍ଲା ମୂଖ୍ୟାଳୟ ମାନଙ୍କରେ ଅତ୍ୟାଧୁନିକ ସେବା ମଧ୍ୟ ଉପଲବ୍ଧ ହେଲାଣି । କିନ୍ତୁ ନୂଆପଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ଅନେକ ସମସ୍ୟା ମଧ୍ୟ ଦେଇ ଗତି କରୁଛି । ଏଠାକୁ ଚିକିତ୍ସିତ ହେବା ପାଇଁ ଦୂର ଦୁରାନ୍ତରୁ ବଲାଙ୍ଗୀର ଜିଲ୍ଲା, ଛତିଶଗଡ଼ ରୁ ଆସୁଥିବା ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି ।

ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ମହାପ୍ରଣୟ ଆମ୍ବୁଲାନ୍ସ ସେବା ଏଠାରେ ଠପ୍ । କାରଣ ମୃତ ବ୍ୟକ୍ତିଙ୍କୁ ନେଉଥିବା ମହାପ୍ରଣୟ ଆମ୍ବୁଲାନ୍ସ ଗତ କିଛି ମାସରୁ ଅଚଳ ହୋଇ ଏମରଜେନ୍ସି ୱାର୍ଡ ସମ୍ମୁଖରେ ପଡି ରହିଛି । ସେହିଭଳି ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ନାହିଁ । ବର୍ତମାନ ସଦର ତାପମାତ୍ରା ସବୁ ସମୟରେ ୪୦ଡିଗ୍ରୀ ସେଲସିୟସରୁ ବୃଦ୍ଧି ରହିଥିଲା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପାନୀୟ ଜଳ ପାଇଁ ଥିବା ଫ୍ରିଜର ଗୁଡିକରେ ପାଣି ବାହାରୁନି ଅନ୍ୟ କେଉଁଠି ପାଣିର ଡ୍ରେନେଜ ବ୍ୟବସ୍ଥା ନଥିବାରୁ ପାଣି ଚଟାଣରେ ବୋହୁଛି । ସବୁ ପାଣି ଫିଲ୍ଟର ବନ୍ଧ ହୋଇ ପଡ଼ିଛି । ଶୌଚାଳୟ ଅବସ୍ଥା ନ କହିବା ଭଲ । ନାମକୁ ମାତ୍ର ସିସିଟିଭି ଲାଗିଛି । ସିସିଟିଭି ସମ୍ମୁଖରୁ ବାଇକ୍ ଚୋରି ହେଉଛି । ସୁରକ୍ଷା ବ୍ୟବସ୍ଥା ଢିଲା ।। ସବୁ ବିଭାଗ ନ ଥିବାରୁ ଲୋକେ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛନ୍ତି । ସବୁ ସମୟରେ ଡାକ୍ତର ନ ଥିବାରୁ ଲୋକେ ନିକଟ ଛତିଶଗଡ଼ କିମ୍ବା ବିଶାଖାପାଟଣାକୁ ଯାଉଛନ୍ତି ।

ସାଧାରଣ ୱାର୍ଡ ମାନଙ୍କରେ ଠିକ ଭାବରେ ପଙ୍ଖା କିମ୍ବା କୁଲର ମଧ୍ୟ କାମ କରୁନାହିଁ ବୋଲି ଅଭିଯୋଗ ହେଉଛି । ଏହାଛଡା ଅନେକ ସମୟରେ ଡାକ୍ତରଖାନାର କର୍ମଚାରୀମାନେ ରୋଗୀ ଓ ତାଙ୍କ ସଂପର୍କିୟଙ୍କୁ ର୍ଦୂବ୍ୟବହାର କରୁଥିବା ଅଭିଯୋଗ ହୋଇଆସିଛି । ଏଭଳି ଭାବେ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଅବ୍ୟବସ୍ଥା ଥିବାରୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଏ ସମ୍ପର୍କରେ ସିଡିଏମ୍ଓ ନୂଆପଡ଼ାଙ୍କୁ ପଚାରିବାରୁ ପ୍ରତିକ୍ରିୟା ପାଇଁ ରୋକଠୋକ୍ ମନା କରିବା ସହ ସାମ୍ବାଦିକଙ୍କୁ ନାଲି ଆଖି ଦେଖାଇ ସାମ୍ବାଦିକତାର ପାଠ ପଢ଼ାଉଛନ୍ତି । ଆଗାମୀ ଦିନରେ କର୍ତ୍ତୃପକ୍ଷ ଯଦି ସମସ୍ୟାର ସମାଧାନ ନ କରିବେ ତେବେ ଗରିବ ଲୋକମାନେ ଛତିଶଗଡ଼ ଓ ବିଶାଖାପାଟଣା ଯାଇ ଖର୍ଚ୍ଚାନ୍ତ ହେବା ସୁନିଶ୍ଚିତ ।
