ଭୁବନେଶ୍ୱର: ଦିନିକିଆ ଗସ୍ତରେ ଓଡ଼ିଶା ଆସି ରାଜ୍ୟ ସରକାରଙ୍କ ବିରୋଧରେ ବିଷ ଉଗାଳିଛନ୍ତି କେନ୍ଦ୍ରମନ୍ତ୍ରୀ ଜୟନ୍ତ ସିହ୍ନା । ସେ ଓଡ଼ିଶା ସରକାରଙ୍କ ବିଫଳତା ବଖାଣିବା ସହ ରାଜ୍ୟରେ କେବଳ ବିଜେପି ସରକାର ଆସିଲେ ଦ୍ରୁତ ଗତିରେ ବିକାଶ ହେବ ବୋଲି କହିଛନ୍ତି ।
କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜୟନ୍ତ ସିହ୍ନା ଓଡ଼ିଶା ଆସିବା ଅବସରରେ ସେ ଭାରତୀୟ ଜନତା ପାର୍ଟିର ଦଳୀୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ।
ଓଡ଼ିଶାରେ ପହଞ୍ଚିବା ପରେ ଭୁବନେଶ୍ୱର ବିମାନବନ୍ଦର ଠାରେ ବିଭିନ୍ନ ପରିବର୍ତ୍ତନ କରାଯିବ ବୋଲି କହିଛନ୍ତି । ସେ କହିଛନ୍ତି ବିମାନବନ୍ଦରରେ ଥିବା ପାର୍କିଂ ସମସ୍ୟାକୁ ଦୂର କରାଯିବ ସହ ପ୍ରାଇଭେଟ୍ ଗାଡ଼ିଗୁଡ଼ିକୁ ବିମାନବନ୍ଦରରୁ ପିକ୍ଅପ୍ ପାଇଁ ଟଙ୍କା ଦେବାକୁ ପଡ଼ିବ ନାହିଁ ବୋଲି ସେ କହିଛନ୍ତି । ଏହି ନିୟମ ଆଗାମୀ ଏପ୍ରିଲ୍ 1ରୁ ଲାଗୁ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଜୟନ୍ତ ସିହ୍ନା ସୂଚନା ଦେଇଛନ୍ତି ।
ଏହା ସହ ସେ ଝାରସୁଗୁଡ଼ା ବିମାନବନ୍ଦରର ମଧ୍ୟ ସମସ୍ୟା ଖୁବ୍ ଶୀଘ୍ର ସମାଧାନ କରାଯିବ ବୋଲି କହିଛନ୍ତି । ତେବେ ରାଜ୍ୟରେ ଆଗକୁ ଅନେକ ନୂଆ ବିମାନ ବନ୍ଦର ନିର୍ମାଣ ହେବ । ସେପଟେ ରାଉରକେଲା ଏବଂ ଜୟପୁର ବିମାନବନ୍ଦର କାମ ଶେଷ ପର୍ଯ୍ୟାୟରେ ପହଁଚିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ସିହ୍ନା । ଏହାକୁ ଉଡ଼ାନ ଯୋଜନାରେ ସାମିଲ କରାଯିବା ସହ ଏହି ଯୋଜନାରେ ଓଡିଶାକୁ ୧୦୦ କୋଟି ଅନୁଦାନ ମିଳିଥିବା କହିଛନ୍ତି ଜୟନ୍ତ ସିହ୍ନା ।
ଭୁବନେଶ୍ୱର ବିମାନବନ୍ଦରରେ ପାର୍କିଂ ଫି’ରେ ପରିବର୍ତ୍ତନ କରାଯାଇ, କମର୍ସିଆଲ ଟାକ୍ସିକୁ କେବଳ ପିକ୍ ଅପ୍ ପାଇଁ ୪୦ ଟଙ୍କା ଦେବାକୁ ପଡ଼ିବ ବୋଲି ସୂଚନା ଦେଇଛନ୍ତି ।
ମୋଦି ଜୀଙ୍କ ଡବଲ ଇଂଜିନ ସରକାର ଆସିଲେ ରାଜ୍ୟରେ ବିକାଶ ହେବ । ରାଜ୍ୟରେ ବିଜେପି ସରକାର ଆସିଲେ ବିକାଶର ବେଗ ବିମାନ ବେଗରେ ଗତି କରିବ ବୋଲି କହିଛନ୍ତି ଜୟନ୍ତ ସିହ୍ନା ।
ଆୟୁଷ୍ମାନ ଯୋଜନାର କଥା ମଧ୍ୟ ମନେ ପକାଇବା ସହ ଉଜ୍ଜଳା ଯୋଜନାରେ ମାଗଣା ଗ୍ୟାସ ଦିଆଯାଉଛି ବୋଲି କହିବା ସହ ମୋଦି ସରକାରଙ୍କ ସଫଳତା ବଖାଣିଛନ୍ତି ଜୟନ୍ତ ସିହ୍ନା ।