ଭୁବନେଶ୍ୱର: ନିର୍ବାଚନ ମଇଦାନକୁ ଓହ୍ଲାଇବା ଦିନଠାରୁ ଚର୍ଚ୍ଚାରେ ରହି ଆସିଛନ୍ତି ସାଂସଦ ପ୍ରମିଳା ବିଶୋଇ । ପ୍ରଥମେ ଧାନବିଲ ଖସ ଖସ ଏବଂ ପରେ ବିକ୍ରମ ଆରୁଖଙ୍କୁ ମୁଖ୍ୟମନ୍ତ୍ରୀ କହି ଚର୍ଚ୍ଚାରେ ଥିବା ଆସିକା ବିଜେଡି ସାଂସଦ ପ୍ରମିଳା ବିଶୋଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଏଥର କିନ୍ତୁ ଧାନବିଲ ଖସ ଖସ ନୁହେଁ ବରଂ ନବୀନଙ୍କ ପୋଲ ଖୋଲି ଚର୍ଚ୍ଚାରେ ରହିଛନ୍ତି ।
ସେ କହିଛନ୍ତି, ଓଡିଶାରେ ରାଜ୍ୟ ସରକାର କାମ ଯୋଗାଇ ପାରୁ ନାହାଁନ୍ତି ତେଣୁ ବାଧ୍ୟ ହୋଇ ଲୋକମାନେ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ଏକଥା ଆମ ମୁଖ୍ୟମନ୍ତ୍ରୀ ମଧ୍ୟ ଜାଣିଛନ୍ତି । କେବଳ ସେତିକି ନୁହେଁ, ରାଜ୍ୟବାହାରେ ବି ଏମିତି ଏକାଠି ହୋଇ ରହିବାକୁ ପ୍ରବାସୀ ଓଡିଆଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରମିଳା ।
ଗୁଜୁରାଟର ସୁରଟରେ ଉଡ୍ର ଖଣ୍ଡାୟତ କାଳନ୍ଦି ସମାଜ ପକ୍ଷରୁ ମକର ସଂକ୍ରାନ୍ତି ଉପଲକ୍ଷେ ଆୟୋଜିତ ଏକ ସମାବେଶରେ ଯୋଗଦେଇଥିଲେ ସାଂସଦ ପ୍ରମିଳା ବିଶୋଇ । ତାଙ୍କ ସହ ଗଞ୍ଜାମ ଜିଲ୍ଲାର କିଛି ବିଧାୟକ ମଧ୍ୟ ଉପସ୍ଥିତ ଥିଲେ । ଏହି ସମାବେଶରେ ହିଁ ସେ କହିଛନ୍ତି ସମସ୍ତେ ହାତ ମୁଠାକୁ ଟାଣ କରି ଏକ ହୋଇ ରହିବା ଆବଶ୍ୟକ । ଏତିକିରେ ଶାନ୍ତି ହୋଇନଥିଲେ ପ୍ରମିଳା । ଉପସ୍ଥିତ ମହିଳାଙ୍କୁ ନାରୀ ଶକ୍ତି ମହାଶକ୍ତି ବୋଲି ସ୍ଲୋଗାନ ଦେବାକୁ କହି ନିଜେ କମାଣ୍ଡ ଦେଇଥିଲେ । ଏପରକି ହୁଳହୁଳି ପକାଇବାକୁ କହି ଆରମ୍ଭ କରିଥିଲେ ତାଙ୍କର ପୁରୁଣା ଏବଂ ପ୍ରୀୟ ଗୀତ ଧାନ ବିଲ ଖସ ଖସ । ବିଜେଡି ସାଂସଦ ପ୍ରମିଳା ବିଶୋଇଙ୍କର ଏହି ଭାଷଣ ଏବେ ମୋବାଇଲରୁ ମୋବାଇଲକୁ ଭାଇରାଲ ହେବାରେ ଲାଗିଛି ।
ଅପରପକ୍ଷେ ଓଡ଼ିଶାରେ କାମ ନ ପାଇ ଓଡ଼ିଆମାନେ ରାଜ୍ୟ ବାହାରେ ନିର୍ଯାନତନାର ଶିକାର ହେବା ସହ ଅନେକ ସମୟରେ ମୃତ୍ୟୁ ବରଣ କରୁଥିବା କଥା ମୁଖ୍ୟମନ୍ତ୍ରୀ ଜାଣିଛନ୍ତି । ହେଲେ କୌଣସି ପଦକ୍ଷେପ ନେଉ ନାହାଁନ୍ତି ବୋଲି ପ୍ରମିଳା ମାଉସୀ ପରୋକ୍ଷରେ ସୂଚାଇ ଦେଇଛନ୍ତି ।
