ଭୁବନେଶ୍ୱର: ସମଗ୍ର ଦେଶରେ ଦମ୍ପତି ପିଛା ହାରାହାରି ସନ୍ତାନ ସଂଖ୍ୟା ୨.୨ ରହିଥିବା ବେଳେ ସଫଳ ପରିବାର ନିୟୋଜନ କାର୍ଯ୍ୟକ୍ରମ ଯୋଗୁଁ ଆମ ରାଜ୍ୟରେ ତାହା ୧.୯ରେ ସୀମିତ ରହିଛି । ସେହିଭଳି ପରିବାର ନିୟୋଜନର ଆବଶ୍ୟକତା ଓଡିଶାରେ ୧୬%ରୁ ହ୍ରାସ ପାଇ ୧୩.୬ରେ ପହଞ୍ଚିଛି । ବିଶ୍ୱ ଜନସଂଖ୍ୟା ଦିବସ ପାଳନ ଅବସରରେ ଆଜି ଏଭଳି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ।
ସ୍ଥାନୀୟ ସ୍ୱାସ୍ଥ୍ୟ ମିଶନ ସଭାଗୃହରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ ରାଜ୍ୟରେ ସଫଳତାର ସହ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସ୍ୱାସ୍ଥ୍ୟସେବା ଯୋଜନା ଉପରେ ସାଧାରଣ ଲୋକଙ୍କ ଭରସା ବୃଦ୍ଧି ପାଉଥିବାରୁ ଦମ୍ପତି ପିଛା ହାରାହାରି ସନ୍ତାନ ସଂଖ୍ୟା କ୍ଷେତ୍ରରେ ଏଭଳି ସଫଳତା ମିଳିଛି । ପରିସଂଖ୍ୟାନ ଦର୍ଶାଉଛି ଯେ ପରିବାର ନିୟୋଜନ କାର୍ଯ୍ୟକ୍ରମ ମାତୃ ମୃତ୍ୟୁହାରକୁ ଏକ ତୃତୀୟାଂଶ ହ୍ରାସ କରିଥାଏ । ବିଗତ ବର୍ଷ ଗୁଡିକରେ କଠିନ ପ୍ରୟାସ ଯୋଗୁଁ ଆମ ରାଜ୍ୟରେ ଏହି ମୃତ୍ୟୁହାର ଆଶାତୀତ ଭାବେ ହ୍ରାସ ପାଇଛି ।

ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ଅର୍ନ୍ତଗତ ୮୫ଟି ପ୍ରାଥମିକ ଏବଂ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ଉଭୟ ପରିବାର ନିୟୋଜନ ପରାମର୍ଶ ଓ ସେବା ପ୍ରଦାନ କରାଯାଉଛି । ପରିବାର ନିୟୋଜନ ପାଇଁ ତିନିଟି ନୂତନ ଗର୍ଭନିରୋଧକ ପଦ୍ଧତି କାର୍ଯ୍ୟକାରୀ ହେଉଥିବା ବେଳେ ଲୋକେ ଏହାକୁ ଗ୍ରହଣ କରିବା ପାଇଁ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ।
