ଜଗତସିଂହପୁର: କାନ୍ଦୁଛି ଜନ୍ମମାଟି, ଝୁରୁଛି ଗାଁ । ପ୍ରସନ୍ନଙ୍କ ସହିଦ ଖବର ଶୁଣି ଦୁଃଖରେ ଭାଙ୍ଗିପଡିଛି ପୁରା ପରିବାର । ପୁଅକୁ ମନେ ପକାଇ ବାହୁନି ହେଉଛି ମା’ । କୋହରେ ଫାଟି ପଡୁଛି ବୁଢା ବାପାର ଛାତି । ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣି ଚୁପ ହୋଇଯାଇଛନ୍ତି ପତ୍ନୀ ମୀନା ।
ନିଜ ଗୋଡରେ ଛିଡା ହେବା ପୂର୍ବରୁ ପୁଅ, ଝିଅଙ୍କ ମୁଣ୍ଡ ଉପରୁ ଉଠିଯାଇଛି ବାପର ହାତ । ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଛନ୍ତି ଜଗତସିହଂପୁର ନାଉଗାଁ ବ୍ଲକ ଶିଖର ଗାଁର ପ୍ରସନ୍ନ କୁମାର ସାହୁ । ପରିବାର ସମେତ ପୁରା ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
ଦେଶର ସୁରକ୍ଷା ଓ ଶତ୍ରୁଙ୍କ ସହ ଲଢିବା ପାଇଁ ଦିନେ ଗାଁ ମାଟି ଛାଡିଥିଲେ ପ୍ରସନ୍ନ । ଆଜି ସେ ଦେଶ ପାଇଁ ବଳିଦାନ ଦେଇ ସହିଦ ହୋଇଯାଇଛନ୍ତି । ସେ ସିଆରପିଏଫର ୬୧ ବାଟାଲିୟନରେ କାର୍ଯ୍ୟରତ ଥିଲେ । ତେବେ ପ୍ରସନ୍ନ ବହୁତ ମେଳାପି ସ୍ୱଭାବର ଥିଲେ । କିଛିଦିନ ତଳେ ସେ ଗାଁକୁ ଆସିଥିଲେ । ଏବେ ହଠାତ ତାଙ୍କ ସହିଦ ହେବା ଖବର କେହି ସହଜରେ ଗ୍ରହଣ କରିପାରୁନାହାଁନ୍ତି ।
ଜମ୍ମୁ-କାଶ୍ମୀର ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ ୪୦ ଯବାନ ସହିଦ ହୋଇଛନ୍ତି । ଘଟଣାକୁ ନେଇ ସାରା ଦେଶରେ ଏବେ ପ୍ରତିଶୋଧର ନିଆଁ ଜଳୁଛି । ଆତଙ୍କବାଦୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।
