ଭୁବନେଶ୍ୱର: ପୁଣି ଡିସେମ୍ବର 1ରୁ ପଡ଼ିବ ଚଡ଼କ । କଡ଼ାକଡ଼ି ହେବ ଟ୍ରାଫିକ୍ ନିୟମ । ନିୟମ ଭାଙ୍ଗିଲେ ଗଣିବକୁ ପଡ଼ିବ ମୋଟା ଅଙ୍କର ତଣ୍ଡ । ଏନେଇ ଆଜି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ସେ ପୁରୁଣା କଥାକୁ ମନେପାକାଇ କହିଛନ୍ତି ସରକାର ଟ୍ରାଫିକ୍ ନିୟମରେ ତିନିମାସ ପାଇଁ ଯେଉଁ କୋହଳ ନିର୍ଦ୍ଦେଶ ଦେଇଥିଲେ ତାହା ଶେଷ ହେବାକୁ ବସିଲାଣି । ପୂର୍ବ ସୂଚନା ଅନୁଯାୟୀ ନଭେମ୍ବର 31ରେ ସମୟ ସୀମା ଶେଷ ହେଉଛି । ତେଣୁ ଡିସେମ୍ବର 1ରୁ ଟ୍ରାଫିକ୍ ନିୟମ ପୁଣି କଡ଼ାକଡ଼ି କରାଯିବ । ବିଭିନ୍ନ ସ୍ଥାନରେ ଟ୍ରାଫିକ୍ ଚେକିଂ ଆରମ୍ଭ ହେବ । ଯେଉଁମାନଙ୍କ ପାଖରେ ଗାଡ଼ି ଚଳାଇବାର ଲାଇସେନ୍ସ କିମ୍ବା ଗାଡ଼ି ସମ୍ବନ୍ଧିୟ କୌଣସି ଜରୁରୀ କାଗଜପତ୍ରର ଅଭାବ ରହିଥିବ ସେମାନଙ୍କୁ ଜୋରିମାନା ଦେବାକୁ ପଡ଼ିବ ।
ଗତ ଥର ଟ୍ରାଫିକ୍ର ନୂଆ ନିୟମ ଆସିବା ପରେ ସାରା ରାଜ୍ୟରେ ଚେକିଂ ଜୋର୍ଦାର କରାଯାଇଥିଲା । ନିୟମ ଲାଗୁ ହେବାର ମାତ୍ର 9 ଦିନ ପର୍ଯ୍ୟନ୍ତ କଡ଼ା କଡ଼ି ଭାବେ ଟ୍ରାଫିକ୍ ଚେକିଂ କରାଯାଇଥିଲା । ଏହି 9 ଦିନ ମଧ୍ୟରେ ସାଧାରଣ ଲୋକଙ୍କଠାରୁ ପ୍ରାୟ 1 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା । ଫଳରେ ଲୋକଙ୍କ ମନରେ ଅସନ୍ତୋଷ ତେଜିଲା । ପରେ ବିଭିନ୍ନ ସ୍ଥାନରେ ପୋଲିସ ଏବଂ ସରକାରଙ୍କୁ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ମଧ୍ୟ ପଡ଼ିଲା । ଫଳରେ ବାଧ୍ୟ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କୁ ଜରୁରୀ କାଗଜପତ୍ର ସଂଗ୍ରହ ପାଇଁ 3 ମାସ ସମୟ ଦିଆଯାଇଥିଲା । ଯାହାର ସମୟ ସୀମା ନଭେମ୍ବରରେ ଶେଷ ହେଉଛି ।
