ଆଜି ନୁହେଁ ବରଂ ୨୦୨୧ରୁ ମରୁଡ଼ି ଇନ୍ ପୁଟ ସବସିଡି ଓ ବୀମା ଟଙ୍କା ଏ ପର୍ଯ୍ୟନ୍ତ ପାଇ ନାହାନ୍ତି ପଦ୍ମପୁର ଚାଷୀ । ଉପନିର୍ବାଚନ ବେଳେ ମିଳିଥିଲା ସରକାରୀ ପ୍ରତିଶ୍ରୁତି। ହେଲେ ପ୍ରତିଶ୍ରୁତି ହେଲା ପାଣିର ଗାର । ଏଯାଏଁ ଚାଷୀଙ୍କୁ ମିଳିଲାନି ଟଙ୍କା । ୭୨ ହଜାର ହେକ୍ଟର ଜମିରେ ନଷ୍ଟ ହେଲା ଫସଲ । ଅନେକ ଆନ୍ଦୋଳନ ପରେ ଚାଷୀଙ୍କ ପାଇଁ ଆସିଲା ୫୨ କୋଟିର ସହାୟତା । ହେଲେ ଅଭିଯୋଗ, ୭ କୋଟି ସିନା ଫେରିଗଲା ହେଲେ ସବୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିଲାନି ସହାୟତା । ସେମିତି ବୀମା ରାଶି ଟଙ୍କା ଦେବାରେ ବି ଟାଳଟୁଳ ନୀତି କଲା ପ୍ରଶାସନ।
ପଦ୍ମପୁର ଚାଷୀଙ୍କୁ ସରକାର କେବଳ ଧୋକା ଦେଲେ ତାହା ନୁହେଁ ବରଂ ପୂରା ଜିଲ୍ଲାବାସୀଙ୍କୁ ମିଛ କହିଥିଲେ । ଉପ-ନିର୍ବାଚନକୁ ଦୃଷ୍ଟିରେ ରଖି ଲୋକଙ୍କ ହଁରେ ହଁ ସିନା କରିଦେଲେ ହେଲେ ପୂରଣ କିଛି କଲେନି । ସେଇଥି ଲାଗି ତ ବଡ ସମାବେଶ କରି ସରକାରକୁ ପାନେ ଦେବାକୁ ସଜ ହେଉଛି କୃଷକ ସଂଗଠନ ।
ଗୁରୁତ୍ଵପୂର୍ଣ୍ଣ କଥା ହେଲା ଚାଷୀଙ୍କୁ ନ୍ୟାୟ ନମିଳିବା ପ୍ରସଙ୍ଗରେ ରୋହିତ ପୂଜାରୀଙ୍କୁ ପ୍ରଶ୍ନ କରାଯାଇଥିଲା । ହେଲେ ରୋହିତ ପ୍ରଶ୍ନକୁ ଏଡାଇ ଯାଇଥିଲେ । କାରଣ ସେ ବି ଜାଣିସାରିଥିଲେ ଏ ସରକାର ଚାଷୀଙ୍କ ସହ କେମିତି ଖେଳିଛି ଖେଳ ।